ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୧) : ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି । ଆସନ୍ତା ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ଚାଲିବ ପ୍ରବାସୀ ଭାରତୀୟ ଦିବସ । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଓ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀଙ୍କ ସମେତ ବହୁ ଭିଆଇପି ଓ ଭିଭିଆଇପି ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱରରେ ସ୍ପେଶାଲ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି । ଡିଜି କ୍ୟାମ୍ପ ଅଫିସରେ ସ୍ପେଶାଲ ଟାକଟିକାଲ ୟୁନିଟ ପହଞ୍ଚିଛି ।
ଏହି ସଶସ୍ତ୍ର ବାହିନୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ସେପଟେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ । ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଏଥିସହ ହୋଟେଲ୍ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।