ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୬/୨) : ରାୟଗଡ଼ା ନ୍ଯୁ କଲୋନୀରେ ଗତ ୬ ତାରିଖରେ ସ୍କୁଟି ସହ ଡିକିରେ ୮ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରାୟଗଡ଼ା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।
ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ , ସେମାନଙ୍କ ଠାରୁ ମାତ୍ର ଏକ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ସ୍କୁଟି, ଗୋଟିଏ ମୋଟର ସାଇକଲ, ଗ୍ଯାସ ଚୁଲା ଓ ସିଲିଣ୍ଡର ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟଗଡା ପିଟିଲା ସାହିର ଭୀମୁଡୁ ହୁଇକା, କିଶୋର ମାଣ୍ଡାଙ୍ଗି ଓ ରିଣ୍ଟୁ କାଡ୍ରାକା । ଗତ ୬ ତାରିଖରେ ରାୟଗଡ଼ା ବାସିନ୍ଦା ଟି.ଗୈରୀ ଶଙ୍କର ରାଓ ନିଜ ସ୍କୁଟିକୁ ଜନଗହଳିପୂର୍ଣ୍ଣ ନିୟୁ କଲୋନୀ ରାସ୍ତାରେ ରଖି ଏକ ଦୋକାନକୁ ଯାଇଥିଲେ । କିଛି ସମୟ ପରେ ଆସି ଦେଖିଲା ବେଳକୁ, ତାଙ୍କର ସ୍କୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ସେହି ସ୍କୁଟି ଡିକିରେ ୮ ଲକ୍ଷ ଟଙ୍କା ଓ ଜରୁରି କାଗଜ ପତ୍ର ରଖିଥିଲେ । ସେ ବହୁ ଖୋଜାଖୋଜି ପରେ ଟଙ୍କା ଓ ଗାଡ଼ି ନ ମିଳିବାରୁ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ ।
ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଦିନକ ପରେ ଝଞ୍ଜାବତୀ ନଦୀରୁ ସ୍କୁଟରକୁ ଉଦ୍ଧାର କରିଥିଲା ପୁଲିସ । ହେଲେ ଟଙ୍କା ମିଳିନଥିଲା । ଏହାର ଅନୁସନ୍ଧାନ କରି ପୁଲିସ ତିନି ଅଭିଯୁକ୍ତଙ୍କୁ ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ବେଳେ, ସ୍କୁଟି ସହ ଟଙ୍କା ଲୁଟ କରିଥିବା ସ୍ବୀକାର କରିଛନ୍ତି । ସେହିଦିନ ତିନିଜଣ ଅଭିଯୁକ୍ତ ସ୍କୁଟି ଚୋରି କରିବା ପରେ ଡିକି ଭାଙ୍ଗି ସମସ୍ତ ଟଙ୍କା ଲୁଟି ନେଇଥିଲେ । ତାପରେ ସ୍କୁଟିକୁ ଝଞ୍ଜାବତୀ ନଦୀରେ ଫିଙ୍ଗି ଦେଇଥିଲେ ବୋଲି ପୁଲିସ ଆଗରେ ମାନିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ଯ ଦୁଇ ଜଣ ଅଭିଯୁକ୍ତ ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ଜେକେବିକେ କଁହର କହିଛନ୍ତି । ଆଜି ଗିରଫ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।