ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୪/୧୧) : ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏ ଯାଏଁ ଗଲାଣି ୧୨ ଶିଶୁଙ୍କ ଜୀବନ । ଗତକାଲି ଏକ ୮ ମାସର ଶିଶୁ ମିଳିମିଳା ରୋଗ ରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି । ମଙ୍ଗଳବାର ମଧ୍ୟ ମିଳିମିଳାରେ ଆକ୍ରାନ୍ତ ଏକ ବର୍ଷକର ଶିଶୁ ଆଖିବୁଜିଥିଲା ।
ମୁମ୍ବାଇରେ ଏ ଯାବତ ମିଳିମିଳା ରୋଗ ଲକ୍ଷଣ ଥିବା ୩୨୦୮ ରୋଗୀ ନଜରକୁ ଆସିଲେଣି । ସେମାନଙ୍କ ମଧ୍ୟରୁ ୨୨୦ ରୋଗୀଙ୍କ ଚିକିତ୍ସା ଚାଲିଛି । ସୋମବାର ମୁମ୍ବାଇରେ ସର୍ବାଧୀକ ୨୪ ମିଳିମିଳା ରୋଗୀ ଚିହ୍ନଟ ହୋଇଥିଲେ । ମୁଖ୍ୟତଃ ଏହି ରୋଗ କବଳରେ ଶିଶୁମାନେ ପଡ଼ୁଥିବାରୁ ଏହା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ସମୀକ୍ଷା କରିଛନ୍ତି ।
କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ମଧ୍ୟରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି । ଏହି ସଂକ୍ରମଣର କାରଣ ଖୋଜିବାକୁ ଏବଂ ଏହାକୁ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିଶେଷଜ୍ଞ ଟିମ୍ ଏହି ସବୁ ସ୍ଥାନ ଗସ୍ତ କରିଥିବା ସୂଚନା ମିଳିଛି । ମିଳିମିଳା ଏକ ଭୂତାଣୁଜନିତ ରୋଗ ।
ଏହି ଭୂତାଣୁ କାଶ ଓ ଛିଙ୍କ ଦ୍ୱାରା ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ୱାରା ବାୟୁରେ ବ୍ୟାପିଥାଏ । ମିଳିମିଳା ହେଲେ କାଶ, ସର୍ଦ୍ଦି, ଆଖିଫୁଲା, ତଣ୍ଟି ଦରଜ ଏବଂ ଜ୍ୱର ସହିତ ଚର୍ମରେ ଘିମିରି ଭଳି କୁଣ୍ଡିଆ ହୋଇ ଲାଲ୍ ପଡ଼ିଯାଏ । ମୁଖ୍ୟତଃ ଅସ୍ୱାସ୍ଥ୍ୟକର ପରିବେଶରେ ରହିବା, ଦୁଷିତ ଜଳ ପାନ କରିବା, ଟିକା ନ ନେବା ଆଦି କାରଣ ଏହି ରୋଗର ପ୍ରମୁଖ କାରଣ । ଏହି ରୋଗକୁ କାବୁକୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡୋର ଟୁ ଡୋର ସର୍ଭେ କରାଯାଉଥିବା ବେଳେ ଟିକାକରଣ ପାଇଁ ଆଗେଇ ଆସିବାକୁ ଲୋକଙ୍କୁ ପ୍ରବର୍ତ୍ତାଯାଉଛି ।