ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଅଭିନଵ ଢଙ୍ଗରେ ନବଜାତ ଶିଶୁ କନ୍ୟା ଚୋରି

0
158

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୨୦/୧୧) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ଆଜି ସକାଳେ ନବଜାତ ଶିଶୁ  କନ୍ୟା ଟିଏ ଚୋରୀ ହୋଇଥିବା ଥାନାରେ ଅଭିିଯୋଗ ହେବାରୁ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ପ୍ରକାଶ ଯେ, ଗତକାଲି ବୀରମହାରାଜପୁର ଉପଖଣ୍ଡ ର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସନ୍ତୋଷିଣୀ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପ୍ରସୂତି ବିଭାଗରେ ଚିକିତ୍ସା ଆରମ୍ଭ କରାଇଥିଲେ l ଗତକାଲି ସକାଳ ୯ ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମାଁ ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ ।

ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ସହାୟକ ଭାବେ ରହିଥିଲେ । ଆଜି ସନ୍ତୋଷିନୀ ଶୌଚ ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିବା ଅବସ୍ଥାରେ ଜଣେ ମହିଳା ତାଙ୍କ ପାଖକୁ ଆସି କୌଶଳ କ୍ରମେ କନ୍ୟାସନ୍ତାନ ଟିକୁ ଟୀକା ଦେବାକୁ ନେବା ପାଇଁ କହି ପୂର୍ବରୁ ମେଡିକାଲ କ୍ୟାମ୍ପସ ବାହାରେ ପ୍ରସ୍ତୁତ ଥିବା ଜଣେ ବାଇକ ଆରୋହୀଙ୍କ ସହିତ ମାଷ୍ଟର ମାଇଣ୍ଡ ମହିଳା ଚୋର ଚମ୍ପଟ ହୋଇଥିବା ସନ୍ଦେହ ହେଉଛି l

ସୂଚନାଯୋଗ୍ୟ ଯେ, ଗତ କାଲି ମଧ୍ୟ  ସେହି ମହିଳା ଜଣକ ମେଡିକାଲ ଆସି ଏ ଛୁଆ କୁ ଟୀକାଦେବା ବାହାନାରେ ନେଇ ପୁଣି ଦାୟିତ୍ୱର ସହ ଫେରାଇ ଦେଇଥିଲା l ଯାହାକି  ମାଷ୍ଟର ମାଇଣ୍ଡ ମହିଳା ଏଭଳି ଅଭିନବ ଉପାୟରେ ପୂର୍ବ ଦିନରୁ ଏକ  ଯୋଜନା ପ୍ରସ୍ତୁତି  ଓ ଅଭ୍ୟାସ କରିଥିଲା l ଏ ନେଇ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ମୌଖିକ ଓ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏହି ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ୟାର ଖୋଜଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି l ସୋନପୁର ଥାନା ଆଇ ଆଇ ସି ଓ ମେଡିକାଲ କର୍ତ୍ତୃପକ୍ଷ ଏବେ ସି ସି ଟି ଭି ଫୁଟେଜ ଆଧାରରେ ଖୁବ ଗୁରୁତର ସହ ଏ ଘଟଣା ର ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି l ରୋଗୀ ଓ କର୍ମଚାରୀଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେଉଥିବା ପୁଲିସ ଫାଣ୍ଡି କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ହଠାତ ଉଠାଯିବାର କାରଣ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି l

ଯେହେତୁ ମେଡିକାଲ ୱାର୍ଡ ର ବାହାରେ ଏ ଘଟଣା  ଘଟିଛି, ସିସିଟିଭି ଫୁଟେଜ ନେଇ ଏ ଘଟଣା ର ଅନୁସନ୍ଧାନ ଚାଲିଛି ଓ ଖୁବ ଶୀଘ୍ର ପିଲାକୁ ଉଦ୍ଧାର କରାଯିବ ବୋଲି ସୁବର୍ଣ୍ଣପୁ ର ଏସପି ସୀତାରାମ ଶତପଥି ଓ ସିଡିଏମଓ ପ୍ରଦୀପ ଗୁରୁ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି l