ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ପାଇଁ ଧାର୍ଯ୍ୟ ହେଲା ଗାଡ଼ିର ବେଗ

0
140

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,(୨୧/୧୧) : ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ବିଭିନ୍ନ ଗାଡ଼ିର ବେଗ କେତେ ରହିବ ସେ ନେଇ ଆଜି ରାଜ୍ୟ ପରିବହନ କମିସନର (ଏସ୍‌ଟିଏ) ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ରେ ଡ୍ରାଇଭର କୁ ମିଶାଇ ୮ ସିଟ୍‌ ରୁ ଅଧିକ ସିଟ୍‌ ନ ଥିବା ଗାଡି (ନନ୍‌ଟ୍ରାନ୍ସପୋର୍ଟ) ସର୍ବାଧିକ ୧୦୦ କିମି ବେଗରେ ଯାଇପାରିବ । କିନ୍ତୁ ଯେଉଁଠି ଏହି ରାସ୍ତା କୌଣସି ଏନ୍‌ଏସି କିମ୍ବା ପୌରପାଳିକା (ସହରାଞ୍ଚଳ) ଦେଇ ଯାଇଥିବ ସେହି ସ୍ଥାନରେ ଏହି ଗାଡ଼ିର ବେଗ ସର୍ବାଧିକ ୫୦ କିମି ମଧ୍ୟରେ ରହିବ ।

ସେହିପରି ମାଲବାହୀ (ଟ୍ରାନ୍ସପୋର୍ଟ) ଗାଡ଼ି ର ବେଗ ଏହି ରାସ୍ତାରେ ସର୍ବାଧିକ ୮୦ କିମି ରହିବ ବୋଲି ଧାର୍ଯ୍ୟ କରାଯାଇଥିଲା ବେଳେ ଏହି ଗାଡି ସହରାଞ୍ଚଳ ଦେଇ ଯାଉଥିବା ବେଳେ ବେଗ ସର୍ବାଧିକ ୫୦ କିମି ଭିତରେ ସୀମିତ ରହିବ । ୯ ସିଟ୍‌ ରୁ ଅଧିକ ଉଭୟ ମାଲ୍‌ବାହୀ ଏବଂ ଯାତ୍ରୀବାହୀ ଗାଡିର ବେଗ ଜାତୀୟ ଏବଂ ରାଜ୍ୟ ରାଜପଥରେ ସର୍ବାଧିକ ୮୦ କିମି ଧାର୍ଯ୍ୟ କରାଯାଇଥିଲା ବେଳେ ସହରାଞ୍ଚଳ ଦେଇ ଯାଉଥିବା ବେଳେ ବେଗ ସର୍ବାଧିକ ୪୦ କିମି ରହିବ । ଯେଉଁ ଗାଡ଼ିରେ ବିଭିନ୍ନ ଦ୍ରବ୍ୟର ପରିବହନ ହେଉଛି ସେହିସବୁ ଗାଡ଼ିର ବେଗ ଜାତୀୟ ଏବଂ ରାଜ୍ୟ ରାଜପଥରେ ଘଣ୍ଟା ପ୍ରତି ୬୦ କିମି ରହିବ ।

ସହରାଞ୍ଚଳ ଦେଇ ଯାଉଥିବାବେଳେ ଏହି ଗାଡ଼ିର ବେଗ ସର୍ବାଧିକ ୩୦ କିମି ରହିବ । ମୋଟର ସାଇକେଲ୍‌ର ବେଗ ଜାତୀୟ ଓ ରାଜ୍ୟ ରାଜପଥରେ ୬୦ ଏବଂ ପୌରପାଳିକା କିମ୍ବା ଏନ୍‌ଏସି ଦେଇ ଯାଉଥିବା ବେଳେ ଏହି ବେଗ ୪୦ କିମି ମଧ୍ୟରେ ରହିବ । ୩ ଚକିଆ ଯାନ (ଉଭୟ ଯାତ୍ରୀବାହୀ ଏବଂ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ି) ର ବେଗ ଜାତୀୟ ଏବଂ ରାଜ୍ୟ ରାଜପଥରେ ୪୦ କିମି ଧାର୍ଯ୍ୟ କରାଯାଇଥିଲା ବେଳେ ଏହି ଗାଡ଼ି ସହରାଞ୍ଚଳ ଦେଇ ଯାଉଥିବା ବେଳେ ବେଗ ୩୦ କିମି ଭିତରେ ରହିବ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲା ଦେଇ ଯାଇଥିବା ରାଜପଥରେ ଗାଡ଼ିର ବେଗ କେତେ ରହିବ ତାହା ସ୍ଥିର କରୁଥିଲେ । ଦେଶରେ ଚାରି ପ୍ରକାର ସଡ଼କ ରହିଛି । ଜାତୀୟ ରାଜପଥ(ଏନ୍‌ଏଚ୍‌), ରାଜ୍ୟ ରାଜପଥ (ଏସ୍‌ଏଚ୍‌), ମୁଖ୍ୟ ଜିଲ୍ଲା ରାସ୍ତା (ଏମ୍‌ଡିଆର) ଏବଂ ଅନ୍ୟ ଜିଲ୍ଲା ରାସ୍ତା (ଓଡିଆର୍‌) ।

କିନ୍ତୁ ରାଜ୍ୟ ସରକାର ଏହି ନିୟମରେ ପରିବର୍ତ୍ତନ କରି ଜାତୀୟ ଏବଂ ରାଜ୍ୟ ରାଜପଥ ପାଇଁ ପରିବହନ କମିସନର ଗାଡ଼ିର ବେଗ ଧାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଫଳରେ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ବିଭିନ୍ନ ଗାଡ଼ିର ବେଗ କେତେ ରହିବ ତାହା ଧାର୍ଯ୍ୟ କରାଯାଇଛି ।