ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂଆ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

0
155

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୫/୧୧) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ୱିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମର ସମସ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛନ୍ତି ଜନସାଧାରଣ । ୫-ଟି କାର୍ଯ୍ୟକ୍ରମ ଜରିଆରେ ବୈଷୟିକ ଜ୍ଞାନର ସହାୟତାରେ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବାପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ । କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସରକାରଙ୍କ ଠାରୁ ସେବା ପାଇବାର ସ୍ୱାଧୀନତା ଲୋକଙ୍କୁ ଦିଆଯାଇପାରିଛି । ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଦ୍ୱାରା ଲୋକମାନେ ବିଭିନ୍ନ ଡିଜିଟାଲ ପ୍ଲାଟ୍ଫର୍ମରେ ଅଭିଯୋଗ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି ହେଉଛି ଆମର ମୁଖ୍ୟ ଆଧାର । ସରକାରଙ୍କ ବିଭିନ୍ନ ବିଭାଗ ନୂଆ ବୈଷୟିକ ଜ୍ଞାନ ଓ ଡିଜିଟାଲ ସେବା ଦ୍ୱାରା ଲୋକଙ୍କୁ ବିନା କୌଣସି ଅସୁବିଧାରେ ସେବା ଯୋଗାଇ ଦେବା ପାଇଁ କାମ କରୁଛନ୍ତି ।

Artificial Intellegence ଓ Machine Learning ଆଦି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଏହି Applicationରେ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଇଲେକ୍ଟ୍ରୋନିକ୍‌ସ ଓ ଆଇ.ଟି ବିଭାଗକୁ ପ୍ରଶଂସା କରିଥିଲେ । ଏହାଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ଦାଖଲ କରିବା ସହିତ ସରକାରଙ୍କ ବିଭାଗ ଗୁଡିକ ଅଭିଯୋଗର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଏହି ନୂତନ ଜନଶୁଣାଣୀ ପୋର୍ଟାଲ ଜରିଆରେ ଜନସାଧାରଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ଅନ୍ ଲାଇନ ଜରିଆରେ ଅଭିଯୋଗ ଦାଖଲ କରିପାରିବେ । ଏହା ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସହଜ, ସରଳ ଓ ସମୟୋପଯୋଗୀ କରିଛି । ଏଥିରେ ୱେବ୍ସାଇଟ୍, ମୋବାଇଲ ଆପ୍, ୱେବ ଚାଟବଟ, ହ୍ୱାଟ୍ସଆପ, ଚିଠି ଏବଂ ଟୁଇଟର ଓ ଫେସ୍ବୁକ୍ ଆଦି ବିଭିନ୍ନ ସୋସିଆଲ ମେଡିଆ ହାଣ୍ଡଲ୍ ଜରିଆରେ ଅଭିଯୋଗ ଦାଖଲ ହୋଇପାରିବ । ଏହି ଏକୀକୃତ ପୋର୍ଟାଲରେ ଅଭିଯୋଗକାରୀ ତାଙ୍କ ଅଭିଯୋଗର ସ୍ଥିତି ବିଷୟରେ ମଧ୍ୟ ଜାଣିପାରିବେ ।