ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ : ଓଡ଼ିଶାରେ ମାଡ଼ ହେବା ଆଶଙ୍କା, ଶୁକ୍ରବାର ମଧ୍ୟରାତ୍ରିରୁ ବଢ଼ିବ ପ୍ରକୋପ

0
171

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୧୨) : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ! ହେଲେ ଏହାର ଗତିପଥ ଏବେ ବି ସ୍ପଷ୍ଟ ହୋଇନାହିଁ । ଏହା ଆସନ୍ତା ୪ ତାରିଖ ସକାଳେ ଉପକୂଳ ଛୁଇଁବ ନା ରାତିରେ, ଏ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ମାତ୍ର ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ବର୍ତ୍ତମାନ ସୁଦ୍ଧା ଯେତିକି ପୂର୍ବାନୁମାନ ହେଲାଣି, ସେଥିରୁ ଜଣାପଡ଼ୁଛି ଏହା ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା ଅଧିକ । ଆସନ୍ତା ୩ ତାରିଖ (ଶୁକ୍ରବାର) ମଧ୍ୟରାତ୍ରି ରୁ ହିଁ ଓଡ଼ିଶାରେ ପ୍ରକୋପ ଦେଖାଇବ ଏ ବାତ୍ୟା ।

ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ନେଇ ସମୀକ୍ଷା କରିଛନ୍ତି । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟାର ଗତିପଥ ଜଣାପଡ଼ିବା ପରେ ଆବଶ୍ୟକ ହେଲେ ୩ ତାରିଖରୁ ହିଁ ତଳି ଅଞ୍ଚଳ ଏବଂ କଚ୍ଚା ଘରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଆବଶ୍ୟକ ପଡ଼ିଲେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୮ ଟିମ୍‌ ଓଡ୍ରାଫ ଓ ଏନଡିଆରଏଫ ଟିମ ଏବଂ ୨୦୦ ଅଗ୍ନିଶମ ଟିମକୁ ମୁତୟନ କରାଯିବ । ଲଘୁଚାପ ଏବେ ଆଣ୍ଡାମାନ ସାଗରରେ ଅଛି । ଗୁରୁବାର ସକାଳକୁ ଅବପାତ (ଡିପ୍ରେସନ) ରୂପ ନେଇଯିବ । ଅଧିକ ଘନୀଭୂତ ହୋଇ ୩ ତାରିଖ (ଶୁକ୍ରବାର)କୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇଯିବ । ୪ ତାରିଖ ସକାଳ ବେଳକୁ ବାତ୍ୟା ଆହୁରି ଅଧିକ ଶକ୍ତିଶାଳୀ ରୂପ ନେଇ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଥିବା ଅନୁମାନ କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ଅଧିକାଂଶ ମଡେଲ ଆକଳନ କରୁଛନ୍ତି, ସମ୍ଭାବ୍ୟ ବାତ୍ୟା ୪ ତାରିଖ (ଶନିବାର) ସନ୍ଧ୍ୟା ସାଢ଼େ ୫ ଟାରୁ ରବିବାର (୫ ତାରିଖ) ଭୋର ସାଢ଼େ ୫ ଟା ଭିତରେ ଉତ୍ତର ଆନ୍ଧ୍ର ଉପକୂଳରୁ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ହିଁ ସ୍ଥଳଭାଗରେ ମାଡ଼ ହୋଇପାରେ ।

ମାତ୍ର ଆଇଏମ୍‌ଡିର ଏନସିଇପି ମଡେଲ କହୁଛି, ଶନିବାର ସକାଳ ପ୍ରାୟ ସାଢ଼େ ୫ ଟା ବେଳେ ବାତ୍ୟା ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଘଷି ହୋଇ ତା’ର ପ୍ରକୋପ ଦେଖାଉଥିବ । ଆଇଏମଡିର ଏମ୍‌ଏମ୍‌ଇ ମଡେଲ୍‌ ଆକଳନ ହେଲା ୪ ତାରିଖ (ଶନିବାର) ସକାଳେ ହିଁ ସମ୍ଭାବ୍ୟ ବାତ୍ୟା ଉପକୂଳରେ ମାଡ଼ ହୋଇପାରେ । ସେତେବେଳକୁ ତାହା ଭୀଷଣ ବାତ୍ୟା ଅବସ୍ଥାରେ ରହିବା ଅନୁମାନ କରାଯାଉଛି ।

ତେବେ ଆଇଏମ୍‌ଡିର ପ୍ରାୟତଃ ମଡେଲ ଆକଳନ କରିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଧିକ । ମାତ୍ର ୪ତାରିଖ (ଶନିବାର) ସକାଳେ ଉପକୂଳ ପାଖାପାଖି ହେଲାବେଳକୁ ଏହା ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବକୁ ମୁହାଁଇବ । ଯଦି ଏମିତି ହୁଏ, ତେବେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବା ସମ୍ଭାବନା ଅଧିକ ରହିଛି ।

ବିଦେଶୀ ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପୂର୍ବାନୁମାନ ଯାହା, ସମ୍ଭାବ୍ୟ ବାତ୍ୟା ପ୍ରଥମେ ଆନ୍ଧ୍ର ଆଡ଼କୁ ମୁହାଁଇବ । ପରେ ଏହା ସାମାନ୍ୟ ଉତ୍ତରକୁ ଦିଗ ବଦଳାଇବ । ଏଭଳି ଦିଗ ବଦଳାଇଲେ ବାତ୍ୟା ଓଡ଼ିଶା ଆଡ଼କୁ ବୁଲିପାରେ । ଆଉ କେତେକ ସଂସ୍ଥାର ପ୍ରାଥମିକ ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ଘଷି ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ କୁ ଯାଇପାରେ ।

ବାତ୍ୟା ପ୍ରଭାବରେ ଓଡ଼ିଶାରୁ ୩ ତାରିଖରୁ ପାଗ ବଦଳିଯିବ । ବର୍ଷା ସହ ପବନ ଆରମ୍ଭ ହୋଇଯିବ । ୩ ତାରିଖ ମଧ୍ୟରାତ୍ରି ରୁ ଓଡ଼ିଶା ଉପକୂଳରେ ୪୫ ରୁ ୫୫ କିମି ଓ ମଝିରେ ମଝିରେ ୬୫ କିମି ବେଗରେ ପବନ ବହିବ । ୪ ତାରିଖ ସକାଳୁ ପବନ ବେଗ ବଢ଼ି ୭୦-୮୦ କିମି ଛୁଇଁବ । ମଝିରେ ମଝିରେ ପବନ ଝଟକା ୯୦ କିମି ପର୍ଯ୍ୟନ୍ତ ଯାଇପାରେ ।

୩ ରେ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୪ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଉପକୂଳ ଓଡ଼ିଶାରେ । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ର ସ୍ଥାନେ ସ୍ଥାନେ ୨୦୦ ମିଲିମିଟର ରୁ ଅଧିକ (ପ୍ରବଳରୁ ଅତି ପ୍ରବଳ) ବର୍ଷା ଢାଳିପାରେ । ଏଥିପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି ।

ଏହାବାଦ୍‌ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ ରେ ପ୍ରବଳ ରୁ ପ୍ରବଳତର ବର୍ଷା ହୋଇପାରେ । ଭଦ୍ରକ, ଯାଜପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୫ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ରୁ ପ୍ରବଳତର ସମ୍ଭାବନା ଅଛି ।

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୬ ରୁ ବର୍ଷା କମିବ । ଏହି ବାତ୍ୟା ଯୋଗୁଁ ୩ ତାରିଖ (ଗୁରୁବାର) ରାତିରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢ଼ିବା ସହ ଶୀତ ଗାଏବ ହୋଇଯିବ ।