ସାଇବର ଠକେଇରେ ଲାଗୁନି ରୋକ : ମାସକରେ ଭୁବନେଶ୍ୱରରୁ ଠକିନେଲେ ୭୭ ଲକ୍ଷ

0
281

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୧୨) : ସାଇବର ଠକେଇରେ ଲାଗୁନି ରୋକ । ଯେତେ ସଚେତନ କଲେ ବି ଲୋକମାନେ ସୁଧୁରିନାହାନ୍ତି । ବାରମ୍ବାର ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ନିଜ ଉପାର୍ଜିତ ଧନ ହରାଇ ବସୁଛନ୍ତି ।

ନଭେମ୍ବର ମାସରେ ସାଇବର ଠକମାନେ ଭୁବନେଶ୍ୱର ର ଲୋକଙ୍କ ଠାରୁ ୭୭ ଲକ୍ଷ ୪୨ ହଜାର ୬୯୬ ଟଙ୍କା ଲୁଟି ନେଇଛନ୍ତି । ଏଥି ମଧ୍ୟରୁ ସାଇବର ଠକେଇରେ ଠକାଯାଇଥିବା ୨୬ ଲକ୍ଷ ୯୭ ହଜାର ୨୪୮ ଟଙ୍କା ବ୍ଲକ୍ ବା ଫେରାଇ ଆଣିବାରେ ପୋଲିସ ସଫଳ ହୋଇଛି । ଏଥିସହ ନଭେମ୍ବରରେ ଭୁବନେଶ୍ୱର ସାଇବର ସହାୟତା ଡ଼େସ୍କ କୁ ସମୁଦାୟ ୪୬୦ ଟି ଅଭିଯୋଗ ଆସିଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ୪୬୦ଟି କଲ୍ ମଧ୍ୟରୁ ୨୪୬ ଟି ଅଭିଯୋଗକାରୀ ଭୁବନେଶ୍ୱର ର । ସାଇବର ଠକମାନେ ୯୭ ଟି ୟୁପିଆଇ ଠକେଇ, କ୍ରେଡ଼ିଟ୍‌/ଡ଼େବିଟ୍ କାର୍ଡ଼ ଠକେଇ ୩୬ ଟି, ଅନ୍ୟାନ୍ୟ ଉପାୟରେ ୧୧୩ ଟି ଠକେଇ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୁଲିସ ୧୩ ଟି ମାମଲା ରୁଜୁ କରିଥିବା ବେଳେ ୫୯ ଟି ନମ୍ବର କୁ ବ୍ଲକ୍ କରିଦେଇଛି ।

ମାସକରେ ଘଟିଥିବା ୩ ଟି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଦେଖିଲେ, ଇନ୍‌ଫୋସିଟି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଠୁ ସାଇବର ଠକ ୭୫ ହଜାର ଟଙ୍କା ଲୁଟି ନେଇଥିଲା । ସେ ଅଭିଯୋଗ କରିବା ପରେ ତାଙ୍କର ୭୦ ହଜାର ଟଙ୍କା ଫେରି ପାଇଛନ୍ତି । ସେହିପରି ନୟାପଲ୍ଲୀ ଅଞ୍ଚଳ ର ଜଣେ ବ୍ୟକ୍ତି ୧ ଲକ୍ଷ ୪୦ ହଜାର ଟଙ୍କା ଠକେଇ ହୋଇଥିବା ବେଳେ ୯୭ ହଜାର ଟଙ୍କା ଫେରିପାଇଥିଲେ ।

ଏହାସହ ଭରତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକ ୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ବେଳେ ପୁଲିସ ସମସ୍ତ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି । ତେବେ ଆଗାମୀ ଦିନରେ ଲୋକମାନେ ସମସ୍ତ ସତର୍କତା ଅବଲମ୍ବନ କରି ସାଇବର ଠକଙ୍କ ଠାରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି ।