ବର୍ଷାଜଳ ଅମଳ ପ୍ରକଳ୍ପ କରାଇବାରେ ବି.ଏମ୍‌.ସି. ସବୁଠୁ ଆଗରେ : ବର୍ଷକରେ ୧୭ ଶହରୁ ଅଧିକ କରିଛି

0
174

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୭) : ସହରାଞ୍ଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା ୧୭୦୦ରୁ ଉର୍ଦ୍ଧ୍ୱ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି । ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ (ମୁକ୍ତା) ଅଧିନରେ ଏହି ପ୍ରକଳ୍ପ ଗୁଡ଼ିକ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ କୋଭିଡ୍‌-୧୯ରେ ଅନେକ ଜନଜୀବନ ବାଧାପ୍ରାପ୍ତ ହୋଇଛି । ବିଶେଷକରି ସହରରେ ଥିବା କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକ ବର୍ଗଙ୍କୁ ବେଉଷା ଯୋଗାଇବା ସହ ସହରାଞ୍ଚଳ ପରିବେଶଗତ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ‘ମୁକ୍ତା’ କାର୍ଯ୍ୟକ୍ରମ କରାଯାଇ ବି.ଏମ୍‌.ସି. ସୀମା ମଧ୍ୟରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଶ୍ରମିକଙ୍କୁ ବର୍ଷାଜଳ ଅମଳ ପ୍ରକଳ୍ପ ରେ ନିୟୋଜିତ କରାଯାଇଛି ।

କର୍ମ ନିଯୁକ୍ତି, ପରିବେଶ ଅନୁକୁଳ ବିକାଶକୁ ଗୁରୁତ୍ୱ ଦେଇ ‘ମୁକ୍ତା’ କାର୍ଯ୍ୟକ୍ରମର ସଫଳତାକୁ ଶୀର୍ଷରେ ପହଞ୍ଚାଇବାର ପ୍ରଚେଷ୍ଟା କରାଯାଇଛି । ଏହା ସାଙ୍ଗକୁ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ନାଗରିକଙ୍କ ଭାଗଦାନରେ ଭୁବନେଶ୍ୱର ସୀମା ମଧ୍ୟରେ ବି.ଏମ୍‌.ସି. ଅଦ୍ୟାବଧି ୧୭୧୭ଗୋଟି ପ୍ରକଳ୍ପ କରିସାରିଛି ବୋଲି ବି.ଏମ୍‌.ସି. କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି । ଏହା ଏକ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ଭୁବନେଶ୍ୱରର ୬୭ ୱାର୍ଡ଼ରେ ବର୍ଷାଜଳ ଅମଳ ପ୍ରକଳ୍ପ କରାଯାଇଛି । ୱାର୍ଡ଼ ଗୁଡ଼ିକରେ ଥିବା ବିଭିନ୍ନ ପାର୍କ, ସରକାରୀ ଖୋଲାସ୍ଥାନ, ଅନୁଷ୍ଠାନ ଇତ୍ୟାଦିର ପଡ଼ିଆଗୁଡ଼ିକରେ ଏହି ପ୍ରକଳ୍ପ କରାଯାଇଛି । ଏହାର କାର୍ଯ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌.ଏଚ୍‌.ଜି.)ଙ୍କ ହାତରେ ନ୍ୟସ୍ତ କରାଯାଇଛି । ଏମାନେ ପ୍ରକଳ୍ପ ରୁପାୟନର ଏକ ଅଂଶୀଦାର ଭାବେ ରହିଛନ୍ତି, ଯାହା ଏହି ଯୋଜନାର ଆଭିମୁଖ୍ୟ ।

ବର୍ତ୍ତମାନର ଭୂତଳ ଜଳସ୍ତର ବା ୱାଟ୍‌ର କେବୁଲ୍ ନିମ୍ନଗାମୀ ହେଉଥିବାବେଳେ ‘ମୁକ୍ତା’ କାର୍ଯ୍ୟକ୍ରମ ଅଧିନରେ ଭୂପୃଷ୍ଠ ଜଳକୁ ଆଣି ଭୂତଳକୁ ଛାଡ଼ିବା, ଯଦ୍ୱାରା ଏହା ଭୂତଳ ଜଳସ୍ତରର ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ବି.ଏମ୍‌.ସି. ପକ୍ଷରୁ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ଏହା ସହରର ପ୍ରାକୃତିକ ପରିବେଶକୁ ଉନ୍ନତ କରିବାରେ ସହାୟକ ହେବ । ଧାର୍ଯ୍ୟ ଲକ୍ଷ୍ୟଠୁ ଅଧିକ ସଂଖ୍ୟକ ପ୍ରକଳ୍ପ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

୧୩ ଏପ୍ରିଲ୍‌ରୁ ୩୦ ଜୁନ୍ ସୁଧା ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି । ଏହା ଏକ ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ, ଯାହା ପ୍ରାୟ ୩୦୦୦ ମହିଳା ଏସ୍‌.ଏଚ୍‌.ଜି. ସଦସ୍ୟାଙ୍କୁ ସାମିଲ୍ କରିଛି । ଏମାନେ ୨୬୫ ଏସ୍‌.ଏଚ୍‌.ଜି. କୁ ଉପସ୍ଥାପିତ କରୁଛନ୍ତି । ବି.ଏମ୍‌.ସି. ସୀମାରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ଚୟନ କରାଯାଇ ଏହି ପ୍ରକଳ୍ପର ପରିଚାଳନା ଭାର ଦିଆଯାଇଛି ।

ସିଧାସଳଖ ଭାବେ ଏସ୍‌.ଏଚ୍‌.ଜି. ନାମରେ ପ୍ରକଳ୍ପ ମଞ୍ଜୁର କରାଯାଇ ସେମାନଙ୍କ ଭାଗଦାନ ଏବଂ ସିଧାସଳଖ ତଦାରଖରେ ଏହି ଗୋଷ୍ଠୀଭିତିକ କାର୍ଯ୍ୟକ୍ରମ ରୁପାୟନ କରାଯାଇଛି ।

ଏହା ବିଶେଷ କରି ଏକ ପ୍ରକାର ତଳୁ ଉପର ସ୍ତର ଭିତ୍ତିକ (ବଟମ୍ ଅପ୍ ଆପ୍ରୋଚ)ଯୋଜନା ଏବଂ ରୁପାୟନ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ସ୍ଥାନୀୟ ନାଗରିକ, ଆବାସିକ ସଂଗଠନ ଏବଂ ନେତୃବୃନ୍ଦଙ୍କ ସହଭାଗୀତା ରହିଛି । ପ୍ରକଳ୍ପର ମୌଳିକ ନୀତି ଅନୁସାରେ ସ୍ୱତନ୍ତ୍ର ବୈଠକରେ ସ୍ଥାନ ନିରୁପଣ, କାର୍ଯ୍ୟ ତଦାରଖ ଏବଂ ସାମାଜିକ ସମୀକ୍ଷା ମଧ୍ୟ କରାଯାଇଛି ।