ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ସହାୟକ ଉପକରଣ ପ୍ରଦାନ ପାଇଁ ଚିହ୍ନଟିକରଣ ଶିବିର ଅନୁଷ୍ଠିତ

0
193

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪/୪) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ପୁରୁଣା ବୋରିଗୁମ୍ମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ପ୍ରଦାନ ପାଇଁ ଏକ ଚିହ୍ନଟିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶତୃଘ୍ନ ଖଣ୍ଡା ଉଦଘାଟନ କରିଥିବା ବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତୀ କାର୍ଯ୍ୟକ୍ରମ ତଦାରଖ କରିଥିବା ଜଣାଯାଇଛି । ଏହି ଶିବିରରେ ବୋରିଗୁମ୍ମା ବ୍ଳକର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ପ୍ରଥମ ରୁ ଦଶମ ଶ୍ରେଣୀ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯଥା ଶାରୀରିକ ଅକ୍ଷମ, ଶ୍ରବଣ ଜନିତ ଅକ୍ଷମ, ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ମାନସିକ ଅନଗ୍ରସର ଏଭଳି ୪୦ ଜଣ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ ।

କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ସଂସ୍ଥାନ, ଭୁବନେଶ୍ୱର ର ଅଭିଜ୍ଞ ଅଡିଓଲୋଜିଷ୍ଟ୍, ଫିଜିଓ ଥେରାପିଷ୍ଟ୍ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ମାପ ନେବା ସହ ସେମାନ ଙ୍କୁ ହ୍ୱିଲ ଚେୟାର, ଟ୍ରାଇସାଇକେଲ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଇତ୍ୟାଦି ଯୋଗାଇ ଦେବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ।

କାର୍ଯ୍ୟକ୍ରମ ଟିକୁ ବି.ଆର.ଟି. ଶ୍ରୀ ଜଗଦୀଶ ମେହେର ଓ ନବୀନ ବଡଜେନା ପରିଚାଳନା କରିବା ସହ ସମସ୍ତ ସି.ଆର.ସି.ସି., ଶିକ୍ଷକ ହୃଷିକେଶ ପାତ୍ର ତଥା ପୁରୁଣା ବୋରିଗୁମ୍ମା ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।