ଦିଲ୍ଲୀ ଏମ୍‌ସ ରେ ଚିକିତ୍ସାଧୀନ ୧୧ ବର୍ଷର ନାବାଳକର ବାର୍ଡ ଫ୍ଲୁ ସଂକ୍ରମଣରେ ମୃତ୍ୟୁ

0
210

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୧/୦୭) : ଭାରତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଦିଲ୍ଲୀ ଏମ୍‌ସ ରେ ଚିକିତ୍ସାଧୀନ ୧୧ ବର୍ଷୀୟ ବାଳକର ଏଚ୍‌୫ଏନ୍‌୧ରେ ଆଭିଆନ ଇନ୍‌ଫ୍ଲୁଏନଜାରେ ମୃତ୍ୟୁ ହୋଇଛି । ଏମ୍‌ସର ମହାମାରୀ ବିଭାଗରେ ବାଳକର ମଙ୍ଗଳବାର ମୃତ୍ୟୁ ହୋଇଛି ।

୧୧ ବର୍ଷୀୟ ବାଳକ ଦିଲ୍ଲୀ ଏମ୍‌ସ ହସ୍‌ପିଟାଲର ଡି୫ ୱାର୍ଡରେ ଭର୍ତ୍ତି ହୋଇଥିଲା ଏବଂ ପରେ ସେ ଏଚ୍‌୫ଏନ୍‌୧ ସଂକ୍ରମଣରେ ପୀଡ଼ିତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ବାଳକ ଜଣକ ଲେଉକେମିଆ ଏବଂ ପିନେମୋନିଆ ରୋଗରେ ଆକ୍ରାନ୍ତ ଥିଲା । ପରେ ତାକୁ ଏମ୍‌ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି କୁହାଯାଇଛି ।

ବାଳକ ଜଣକ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ କୋଭିଡ ଏବଂ ଇନଫ୍ଲୁଏନଜା ପରୀକ୍ଷା କରାଯାଇଥିଲା । କିନ୍ତୁ ତାର କୋଭିଡ-୧୯ ନମୁନା ପରୀକ୍ଷା ରିପୋର୍ଟରେ ନେଗେଟିଭ ଥିବା ଜଣାପଡ଼ିଥିଲା । କିନ୍ତୁ ଇନଫ୍ଲୁଏନଜା ପାଇଁ ପଜିଟିଭ ଆସିଥିଲା । ଏହା ପରେ ରିପୋର୍ଟକୁ ପୁନେସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀକୁ ପଠାଯାଇଥିଲା । ଏନ୍‌.ସି.ଡିସ. ଦ୍ୱାରା ତମାମ ପରୀକ୍ଷାରୁ ଜଣାଯାଇଛି ଯେ, ବାର୍ଡ ଫ୍ଲୁ ଯୋଗୁଁ ବାଳକର ମୃତ୍ୟୁ ହୋଇଛି ।

ସାଧାରଣତଃ ଏଚ୍‌୫ଏନ୍‌୧ ସଂକ୍ରମଣ ପକ୍ଷୀମାନଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଏହା ମଧ୍ୟ ମଣିଷଙ୍କୁ ସଂକ୍ରମିତ କରିପାରେ । ରୋଗୀଣା ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ମନୁଷ୍ୟକୁ ଏହି ବାର୍ଡ ଫ୍ଲୁ ଡେଇଁବାର ଆଶଙ୍କା ଥାଏ । ଏହା ପୁଣି ଜଣଙ୍କ ଠାରୁ ଅନ୍ୟକୁ ଡେଇଁବାର ଆଶଙ୍କା ରହିଛି । ମାତ୍ର ମନୁଷ୍ୟମାନଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ବହୁତ କମ ମାତ୍ରାରେ ଦେଖାଯାଇଥାଏ ।