ଧଳାଜହର ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କଲା ଦସ୍ତଖତ ଅଭିଯାନ

0
207

ଦୁଇଦିନ ତଳେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଡ୍ରଗ୍ସ ବିରୋଧରେ ଆଗତ ହୋଇଥିଲା ଚିଠା ପ୍ରସ୍ତାବ ..
ରିପୋର୍ଟ : ଦେବଦତ୍ତ ରଥ //
ଭୁବନେଶ୍ୱର/ଭଦ୍ରକ,(୨୧/୦୭) : ଧଳା ଜହର ବିରୋଧରେ ଅଣ୍ଟା ଭିଡ଼ିଲା ବିଜେପି ମହିଳା ମୋର୍ଚ୍ଚା । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଧଳାଜହର (ଡ୍ରଗ୍ସ) ବିରୋଧରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । କରୋନା ମହାମାରୀ କାରଣରୁ ଜୀବନ ଜୀବିକା ଏବେ ବିପଦରେ ପଡ଼ିଯାଇଛି । କରୋନା କବଳରୁ ମୁକ୍ତି ପାଇବା ପାଇଁ ସାରା ମାନବ ସମାଜ ଏବେ ପ୍ରୟାସରତ । କିନ୍ତୁ, ଏଭଳି ବିପତ୍ତି ସମୟରେ ସମାଜର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିକୁ ବସିଥିବା ବେଳେ ତାକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେବାକୁ ବସିଛନ୍ତି କିଛି ଅସାମାଜିକ ତତ୍ତ୍ୱ ।

ଧଳାଜହର ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କଲା ଦସ୍ତଖତ ଅଭିଯାନ | ଭଦ୍ରକ ଜିଲ୍ଲାକୁ ଧଳା ଜହର କବ୍ଜାରେ ବାନ୍ଧି ରଖିବାକୁ ସେମାନେ କରୁଛନ୍ତି ଉଦ୍ୟମ । ଧଳା ଜହର ଯେ କେତେ ମାରତ୍ମକ ତାହା ଆମେମାନେ ଜାଣିଛନ୍ତି । ଏହି ନିଶା ପାଇଁ କେତେ ଯେ ପରିବାର ବର୍ବାଦ୍ ହୋଇ ସାରିଲାଣି। ଯୁବପିଢି ଏ’ ନିଶା କବଳରେ ରହି ଏତେ ପାଗଳ ହୋଇଗଲେଣି ଯେ ଏହି ନିଶା ସେବନ ହେତୁ ଚୋରି କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଧଳା ଜହର ପାଇଁ ନିଶାସକ୍ତ ବ୍ୟକ୍ତି କିଛି ଟଙ୍କା ପାଇଁ ହତ୍ୟା ଭଳି ଜଘନ୍ୟ ଅପରାଧ କରିବାର ମଧ୍ୟ ନଜିର ରହିଛି ।

ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛି ଅନେକ ପରିବାର । ରୋଗ, ଅଭାବନୀୟ କାଣ୍ଡ ପାଇଁ ଅକାଳେ ଝଡ଼ି ପଡୁଛି ଅନେକ ଜୀବନ । ନିଶା ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ ଅନେକ ପ୍ରାଣ ହରାଉଛନ୍ତି । ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ପଛରେ ଡ୍ରଗ୍ସ ସେବନର ଏକ ପ୍ରମୂଖ ଭୂମିକା ରହିଛି । ଆଜି ଆମ ଭଦ୍ରକ ମଧ୍ୟ ଆଜି ଏହି ଧଳା ଜହର ଜାଲରେ ଫସି ଯାଇଛି ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ଏହା ଉପରେ କିଛିଟା କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ଏହାର ନିରାକରଣ ପାଇଁ ପୋଲିସ, ଅବକାରୀ, ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ ଆଦି ବିଭିନ୍ନ ବିଭାଗ ଅଧିକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି । ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଏଥିପାଇଁ ଯଥେଷ୍ଟ ନୁହେଁ । କାରଣ ଏହାର ଚେର ଭାୟା ବାଲେଶ୍ଵର, ଜଳେଶ୍ବର, ପଶ୍ଚିମବଙ୍ଗ ହୋଇ ବାଂଲାଦେଶ ଯାଏଁ ଲମ୍ବିଛି । ତେଣୁ ଜିଲ୍ଲା ସୀମା ତଥା ରାଜ୍ୟ ସୀମା ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ବଢ଼ାଇବାର ଆବଶ୍ୟକତା ରହିଛି ।

ତେଣୁ ଏ’ ଦିଗରେ ଧ୍ୟାନ ଦେଇ ଆବଶ୍ୟକୀୟ ତଥା ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଆମେ ଦାବୀ କରୁଛୁ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି । ଆଜି ଏହା ଭଦ୍ରକରେ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦସ୍ତଖତ ସଂଗ୍ରହ କରାଯାଇ ଗୃହ ରାଜ୍ୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ହରପ୍ରିୟା ସାହୁ କହିଛନ୍ତି । ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଲେଙ୍କା, ଚୈତାଳି ଖିଲାର, କାର୍ଯ୍ୟାଳୟ ସମ୍ପାଦିକା ସ୍ମୃତିରେଖା ରାଉତ ଏବଂ ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସାମିଲ୍ ଥିଲେ ।

ମହିଳା ମୋର୍ଚ୍ଚା ପକ୍ଷରୁ କରାଯାଇଥିବା ଏହି “ଧଳାଜହର” ବିରୋଧୀ ଦସ୍ତଖତ ଅଭିଯାନରେ ଯୋଗଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରପୋଖରୀ ଅଞ୍ଚଳର ନେତା, ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ ସମର୍ଥନ ଜଣାଇଥିବା ବେଳେ ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା, ବିଜୟ ନାୟକ, ଶଶାଙ୍କ ଦାସ ଏବଂ ନାରାୟଣ ମହାରଣା ପ୍ରମୂଖ ସାମିଲ୍ ରହି କାର୍ଯ୍ୟକ୍ରମକୁ ସହଯୋଗ ଏବଂ ସମର୍ଥନ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ୧୨ଟି ଚିଠା ପ୍ରସ୍ତାବ ମଧ୍ୟରୁ ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟତମ ଦାବୀ ଥିଲା । ଦାବିରେ କୁହାଯାଇଥିଲା, “ମହିଳାଙ୍କୁ ଅସୁରକ୍ଷିତ କରୁଛି ମାଦକ ଦ୍ରବ୍ୟ ସେବନ ଓ ନିଶାକାରବାର । ରାଜ୍ୟ ସରକାରଙ୍କର ମଦନୀତିକୁ ମହିଳା ମୋର୍ଚ୍ଚା ନିନ୍ଦା କରିବା ସହିତ ବଜାରରେ ଖୋଲା ବୁଲୁଥିବା ଧଳା ଜହରକୁ ରୋକା ଯିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମହିଳା ମୋର୍ଚ୍ଚା ଦାବୀ କରୁଛି” ।