Friday, March 29, 2024

Top 5 This Week

Related Posts

ଶିକ୍ଷା ନିଯୁକ୍ତି ଇତିହାସରେ ସ୍ମରଣୀୟ ମୁହୂର୍ତ୍ତ : ଏକା ସାଙ୍ଗରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ

ରିପୋର୍ଟ : ସୁଭାସିସ ନାୟକ
ଭୁୁବନେଶ୍ୱର, (୨୧/୧୨) : ରାଜ୍ୟ ର ଶିକ୍ଷା ନିଯୁକ୍ତି ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ – ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି ।

ସାରା ରାଜ୍ୟ ର ସବୁ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ତଥା ପ୍ରଥମ ପର୍ଯ୍ୟାୟର ୫-ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ ଟି ସ୍କୁଲର ରୂପାନ୍ତର ପରେ ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ରାଜ୍ୟ ସରକାର ଆଜି ଏକାଥର କେ ୬୨୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଶିକ୍ଷା ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ ।

ଶିକ୍ଷା ବ୍ୟବସ୍ଥାର ଆତ୍ମା ଭାବରେ ଶିକ୍ଷକ ମାନଙ୍କୁ ଅଭିହିତ କରି ଆମର ଭବିଷ୍ୟତ ପୀଢି ତଥା ନୂଆ ଓଡିଶା ଗଠନ ପାଇଁ ଆରମ୍ଭ ହୋଇଥିବା ଏହି ରୂପାନ୍ତରରେ ଶିକ୍ଷକ ମାନେ ସଫଳ ସହଯୋଗୀ ଭାବରେ ତାଙ୍କର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନୀଶକ୍ତି ର ବିକାଶ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ଏ.ପି.ଜେ ଅବଦୁଲ କାଲାମଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜରେ ଶିକ୍ଷକ ମାନଙ୍କର ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ, ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ୱ ବହନ କରେ ନାହିଁ । ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତ ର ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ହାଇସ୍କୁଲ ଟ୍ରାନ୍ସଫରେମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ।

ଏ ପର୍ଯ୍ୟନ୍ତ ୧୦୭୫ ଟି ସ୍କୁଲ ର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବେଳେ, ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳ ର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଭାବେ ବର୍ଣ୍ଣନା କରି ଏଥିପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର ରୂପ ଦେବାପାଇଁ ସବୁ ପ୍ରକାର ସୁଯୋଗ ଦିଆଯାଇଛି ବୋଲି ମତଦେଇ ଶିକ୍ଷାଦାନ ପ୍ରତି ଶିକ୍ଷକ ମାନଙ୍କର ପ୍ରତିବଦ୍ଧତା, ପିଲାମାନଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତା ର ଶିଡି ଚଢିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

Popular Articles