ଭୋଟର କାର୍ଡ ସହ ଆଧାର ଲିଙ୍କ ବିଲ୍ ଲୋକସଭାରେ ପାରିତ

0
176

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୧/୧୨) : ଆଜି ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ପାରିତ ହୋଇଛି । ଫଳରେ ଭୋଟର କାର୍ଡ ସହ ଆଧାର ଲିଙ୍କ ପାଇଁ ଲୋକସଭାରେ ବିଲ୍ ପାରିତ ହୋଇଛି । ଆସନ୍ତାକାଲି ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ ।

ଆଜି ବିଲ୍ ନେଇ ବିରୋଧୀଙ୍କ ସବୁ ଦାବି କୁ ଭିତ୍ତହୀନ ବୋଲି ବିଲ୍ ଉପସ୍ଥାପନ ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି । ଏଥିସହ ସେ କହିଥିଲେ ଯେ ଷ୍ଟାଣ୍ଡିଂ କମିଟି ର ବିଭିନ୍ନ ପ୍ରସ୍ତାବକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଇଛି । ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ଭୋଟର କାର୍ଡ ସହ ଆଧାର ଲିଙ୍କ ବିଲ ର ମୁଖ୍ୟ ଭୂମିକା ରହିବ ବୋଲି ସେ କହିଥିଲେ ।

ବିଲ୍ ପାସ୍ ହେବା ପରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ତେଣୁ ବାଚସ୍ପତି ଗୃହ କାର୍ଯ୍ୟ କୁ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ଆଗତ କରିଥିଲେ ।

ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ନିର୍ବାଚନୀ ସଂସ୍କାର ବିଲକୁ ମଞ୍ଜୁରୀ ମିଳିଥିଲା । ଦେଶରେ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ ଅଧିକ ସରଳ କରିବା ପାଇଁ ବିଲରେ ଅନେକ ବ୍ୟବସ୍ଥା ରହିଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆଧାର ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ୍ କରାଯିବ । ଏଥିପାଇଁ ଭାରତର ନିର୍ବାଚନ ଆୟୋଗ ବାରମ୍ବାର କହି ଆସୁଥିଲେ ।

ଭୋଟର ଭାବେ ନିଜର ପଞ୍ଜିକୃତ କରିବା ପାଇଁ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ବର୍ଷକରେ ଥରେ ଅର୍ଥାତ ଜାନୁଆରୀ ୧ ରେ ସୁଯୋଗ ମିଳୁଥିଲା । କିନ୍ତୁ ଏବେ ବର୍ଷକ ୪ ଥର ସେମାନଙ୍କୁ ଭୋଟର ଭାବେ ପଞ୍ଜୀକରଣ ପାଇଁ ସୁଯୋଗ ମିଳିବ । ଜାନୁଆରୀ ୧ ସହ, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ରେ ପଞ୍ଜୀକରଣ ପାଇଁ ସୁବିଧା ଯୋଗାଇ ଦିଆଯିବ ।