ମହାପ୍ରଭୁଙ୍କ ନବଦିନ ଯାତ୍ରା ଶେଷ : ସେବାୟତ, ପ୍ରଶାସନ, ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

0
245

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୧/୦୭) : କୋଭିଡ୍ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି । ଏଥିପାଇଁ ସେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ, ପୋଲିସ ପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ତଥା ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସରକାରୀ ସଂସ୍ଥା ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାପ୍ରଭୁଙ୍କ ନବଦିନ ଯାତ୍ରା ଉତ୍ତମ ଭାବରେ ପରିଚାଳନା କରିଥିବାରୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । କୋଭିଡ୍ ଭଳି କଠିନ ପରିସ୍ଥିତିରେ ମହାପ୍ରଭୂଙ୍କ କରୁଣା ଯୋଗୁ ଏହା ସମ୍ଭବ ହୋଇଛି । ବିଶେଷକରି ସେବାୟତମାନେ ଯେଭଳି ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କଲେ ତାର ପଟାନ୍ତର ନାହିଁ । ସେହିପରି ସର୍ବୋପରି ପୁରୀର ଜନସାଧାରଣ ଯାତ୍ରା ସମୟରେ କୋଭିଡ଼୍ କଟକଣା ମାନି ଯେଭଳି ସଂଯମତା ପ୍ରଦର୍ଶନ କରିଛନ୍ତି, ତାହା ଅତୁଳନୀୟ । ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାରେ ଭାଗ ନେଇ ପାରିନାହାଁନ୍ତି । ଲୋକମାନେ ଘରେ ରହି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାର ଆନନ୍ଦ ନେଇପାରିଛନ୍ତି । ଏଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ସୁନ୍ଦର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।