Friday, March 29, 2024

Top 5 This Week

Related Posts

ସୁନାବେଶ ସମୟରେ ଅଘଟଣ : ଭାଙ୍ଗିଗଲା ଶ୍ରୀଜଗନ୍ନାଥଙ୍କ କିରିଟିର ତୃତୀୟ କିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,ପୁରୀ,(୨୨/୦୭) : ସୁନାବେଶ ସମୟରେ ଅଘଟଣ । ସୁନାବେଶ ସମୟରେ ମହାପ୍ରଭୁଙ୍କ କିରିଟିର ବାମପଟୁ ତୃତୀୟ କିଆ ଭାଙ୍ଗିଯାଇଛି । ଭାଙ୍ଗିଯାଇଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ସୁନାବେଶ ସମୟରେ ମହାପ୍ରଭୁଙ୍କ ଏହି କିରିଟିରେ ସାଧାରଣତଃ ୨୧ଟି କିଆ ଥାଏ । ତେବେ ୨୦ଟି ଥିବାବେଳେ ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରୀଜଗନ୍ନାଥଙ୍କ ବାମପଟ ତୃତୀୟ କିଆଟି ନଥିଲା । ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା । କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି । ତାକୁ ସୁରକ୍ଷିତ ଭାବେ ରଖାଯାଇଛି, ଏହାର ମରାମତି ହେବ ବୋଲି କହିଛନ୍ତି । ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା ।

ସେପଟେ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ଶ୍ରୀଜିଉ। ରଥ ଉପରେ ତିନି ଠାକୁର ଏହି ଅପରୂପ ଓ ଅନନ୍ୟ ବେଶରେ ଦର୍ଶନ ଦେଇଥିଲେ । କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ଝଟକିଥିଲେ ଶ୍ରୀଜିଉ ।

ତେବେ କରୋନା ଯୋଗୁଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତଙ୍କ ଉପସ୍ଥିତିରେ ଆୟୋଜନ ହୋଇଥିଲା ମହାପ୍ରଭୁଙ୍କ ସୁନା ବେଶ । ପୁରୀ ସହରର କିଛି ଅଞ୍ଚଳରେ ୧୪୪ ଧାରା ଲାଗିଛି । ଆଜି ରଥ ଉପରେ ତିନି ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ।

Popular Articles