ରାଜ୍ୟରେ ପ୍ରତି ୧୦୦ ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ସଂଖ୍ୟା ୪୮

0
131

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୫/୧୨) : ରାଜ୍ୟରେ ପ୍ରତି ୧୦୦ ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ସଂଖ୍ୟା ୪୮ ଜଣ । ଜାତୀୟ ସ୍ତରରେ ଏହି ହାର ହେଉଛି ୩୬ l ଯାଜପୁର, ମୟୁରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ, ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ରାଜ୍ୟରେ ପ୍ରତି ୧୦୦ ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ସଂଖ୍ୟା ୪୮ ଓ ମୋଟ ମୃତ୍ୟୁ ର ୫୩ ପ୍ରତିଶତ ହେଉଛନ୍ତି ମୋଟର ସାଇକେଲ୍ ଚାଳକ । ଆଉ ୮୦ ପ୍ରତିଶତ ବ୍ୟକ୍ତି ହେଲମେଟ ପିନ୍ଧି ନ ଥିବାରୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ବିଶ୍ୱ ର ଅନ୍ୟ ଦେଶ ତୁଳନାରେ ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ ହେଉଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାରେ ୨୦୨୦ ମସିହାରେ ୪ ହଜାର ୭୩୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ପ୍ରାୟ ୫ ହଜାର ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସେହିପରି ଭୁବନେଶ୍ୱର ସହରାଞ୍ଚଳରେ ୨୦୨୧ ନଭେମ୍ବର ମାସ ଶେଷ ସୁଦ୍ଧା ୫୩୨ ଟି ଦୁର୍ଘଟଣା ଜନିତ ମାମଲା ଆସିଛି । ଏଥିରେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ୩୦୪ ଜଣ ଗୁରୁତର ଆହତ ହୋଇଛନ୍ତି । ସଡ଼କ ସୁରକ୍ଷା ପରିଷଦ ବୈଠକରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ବୈଠକରେ ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ, ଆଇନ ସଚିବ, ପୁଲିସ ବିଭାଗର ଅତିରିକ୍ତ ଡିଜି, ବିଭାଗ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।