ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ୍ ବନ୍ଦ : ରାତି ୯ରୁ ଲାଗୁ ହେବ କର୍ଫ୍ୟୁ

0
161
ଦ୍ୱାଦଶ ଶ୍ରେଣୀ ଯାଏଁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୬/୧) : ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ କୋଭିଡ କଟକଣା କଡାକଡି କରାଯାଇଛି । ନୂଆ ଗାଇଡଲାଇନ୍ ନେଇ ଏସଆରସି କହିଛନ୍ତି, ଏଣିକି ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ୍ ବନ୍ଦ ରହିବ ଓ ରାତି ୯ ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।

ନାଇଟ୍ କର୍ଫ୍ୟୁ କେବଳ ସହରାଞ୍ଚଳରେ ଲାଗୁ କରାଯିବ । ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ । କିନ୍ତୁ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ ବୋଲି ଏସଆରସି କହିଛନ୍ତି ।

ଏସଆରସି କହିଛନ୍ତି ଯେ, ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ । ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସଆରସି କହିଛନ୍ତି ।

ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ । ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ହୋଟେଲ ଓ ପାର୍କରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ସ୍କୁଲ କିମ୍ବା କଲେଜର ପିକନିକ୍, ଏସକର୍ସନ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି । ନନ୍ଦନକାନନ ଆଦି ସ୍ଥାନରେ ଟିକେଟ୍ ପାଇଁ ଅନଲାଇନରେ ବୁକ୍ କରିବାକୁ ପଡ଼ିବ ।

ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ । ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ । ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି । ସେହିପରି ଯାତ୍ରା ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ । ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ । ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ ।

ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ । ରାଜ୍ୟ ର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ । ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ । ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା କରାଯାଇଛି । ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଲୋକ ଉପସ୍ଥିତ ରହିପାରିବେ ।

ସେହିପରି ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିଛି । ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି । ତେବେ ବାହାଘର ଏବଂ ରିସେପ୍ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଯେପରିକି ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ଆଦିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି ।