ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା : ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ,ସମୁଦ୍ରକୁ ଯିବାକୁ ମନା

0
224

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୪/୦୭) : ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ସୃଷ୍ଚି ହୋଇଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଆହୁରି ଘନୀଭୂତ ହୋଇ ଏକ ୱେଲମାର୍କଡ୍ ବା ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର କିଛି ଅଂଶ ଏବେ ସମୁଦ୍ରରେ ଓ ଆଉ କିଛି ଅଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗର ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ସୃଷ୍ଟି ହୋଇଥିବା ଲଘୁଚାପ ସତ୍ତ୍ୱେ ଓଡ଼ିଶାରେ ବର୍ଷା ପରିମାଣ କମିବ । ଆଜି ଓ ଆସନ୍ତାକାଲି ଓଡ଼ିଶାରେ ବର୍ଷା ପରିମାଣ କମିବ ।

ଆଜି ରାଜ୍ୟର ୪ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼ ଓ ଝାରସୁଗୁଡ଼ାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରବିବାର ମଧ୍ୟ ୪ ଜିଲ୍ଲା ଯଥା ମାଲକନାଗିରି, କୋରାପୁଟ, ମୟୁରଭଞ୍ଜ ଓ କେନ୍ଦୁଝରକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଓଡ଼ିଶାକୁ ବଡ଼ ବର୍ଷା ସମ୍ଭାବନା ନାହିଁ । ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଗତ ୨୪ ଘଣ୍ଟାରେ ମଧ୍ୟ ଓଡ଼ିଶାରେ ବର୍ଷା ପରିମାଣ ବଢିଛି । ଚଳିତ ମୌସୁମୀରେ ଏଯାବତ ବର୍ଷା ଅପେକ୍ଷ୍ୟାକୃତ କମ ଥିବାବେଳେ ଆଗକୁ ଭାରି ବର୍ଷା ସମ୍ଭାବନା ରହିଛି । ଏଯାବତ ରାଜ୍ୟରେ ସ୍ୱାଭାବିକ ବର୍ଷା ହିସାବରେ ୪୬୦ ମିମିରୁ ଉର୍ଦ୍ଧ୍ୱ ବର୍ଷା ହେବାର ଥିଲା ।

ହେଲେ ଏବେସୁଦ୍ଧା ଓଡ଼ିଶାରେ ୩୭୨.୩ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷାଠୁ ୨୦% କମ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଯାହାଫଳରେ ରାଜ୍ୟରେ ଏଥର ଚାଷ କାର୍ଯ୍ୟ ବ୍ୟାପକଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏବେ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପ ରେଖା ରାଜସ୍ଥାନରୁ ଆନ୍ଧ୍ର ଯାଏଁ ଲମ୍ବିଛି । ଯାହା ସକାଶେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଏବେ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ ।

ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି । ତେବେ ରାଜ୍ୟରେ ୨୬ ତାରିଖ ପରେ ବର୍ଷା ପରିମାଣ ବଢିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।