ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା : ସପ୍ତମକୁ ଉଠିଲେ କୋହଲି

0
166
ଆଇସିସି ଟେଷ୍ଟ ବ୍ୟାଟିଂ

ରିପୋର୍ଟ : ସୁଭାସିସ ନାୟକ
ଦୁବାଇ, (୨୦/୦୧) : ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ବିରାଟ କୋହଲିଙ୍କ ଉନ୍ନତି ହୋଇଛି । ଗତ ସପ୍ତାହରେ କୋହଲି ମାନ୍ୟତା ତାଲିକା ର ନବମ ସ୍ଥାନରେ ରହିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଯଥାକ୍ରମେ ୭୯ ଓ ୨୯ ରନ୍‌ ର ପାଳି ଖେଳିବା ଫଳରେ ତାଙ୍କ ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଛି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି ।

ଅଷ୍ଟ୍ରେଲିଆ ର ଟ୍ରେଭିସ୍‌ ହେଡ୍‌ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ଲମ୍ବା ଡିଆଁ ମାରିଛନ୍ତି । ହେବାର୍ଟରେ ଅନୁଷ୍ଠିତ ପଞ୍ଚମ ଆସେସ ଟେଷ୍ଟରେ ଶତକ ଅର୍ଜନ କରି ସେ ଷଷ୍ଠ ସ୍ଥାନକୁ ଉଠିଛନ୍ତି । ଗତ ସପ୍ତାହରେ ସେ ମାନ୍ୟତା ତାଲିକାର ୧୩ ତମ ସ୍ଥାନରେ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ର ଟମ ଲାଥମ ମାନ୍ୟତା ତାଲିକା ର ଦଶମ ସ୍ଥାନକୁ ଉଠିଛନ୍ତି ।

ମାର୍ନସ ଲାବୁସାନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଜୋ ରୁଟ୍‌ ଦ୍ୱିତୀୟ କେନ ୱିଲିୟମସନ ତୃତୀୟ, ଷ୍ଟିଭେନ ସ୍ମିଥ୍‌ ଚତୁର୍ଥ, ଦିମୁଥ କରୁଣାରତ୍ନେ ଅଷ୍ଟମ ଓ ବାବର ଆଜମ ନବମ ସ୍ଥାନରେ ରହିଛନ୍ତି । ଭାରତର ଯଶପ୍ରୀତ ବୁମରା ବୋଲିଂ ମାନ୍ୟତା ତାଲିକା ର ଶ୍ରେଷ୍ଠ ୧୦ ରେ ପ୍ରବେଶ କରିଛନ୍ତି ।

ଗତ ସପ୍ତାହରେ ସେ ମାନ୍ୟତା ତାଲିକାର ୧୩ତମ ସ୍ଥାନରେ ରହିଥିଲେ । ସେହିପରି କାଗିସୋ ରାବାଡା ୨ଟି ସ୍ଥାନ ଉନ୍ନତି ଘଟାଇ ତୃତୀୟ କୁ ଉଠିଛନ୍ତି । ଗତ ସପ୍ତାହରେ ସେ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ରହିଥିଲେ । ପ୍ୟାଟ୍‌ କମିନ୍ସ ଓ ରବି ଚନ୍ଦ୍ରନ ଅଶ୍ୱିନ ପ୍ରଥମ ୨ଟି ସ୍ଥାନ ବଜାୟ ରଖିଛନ୍ତି । ଗତ ସପ୍ତାହରେ ତୃତୀୟ ସ୍ଥାନରେ ଥିବା କେଲି ଜାମିସନ ଚତୁର୍ଥକୁ ଖସିଥିବା ବେଳେ ସହିନ ଆଫ୍ରିଦି ପଞ୍ଚମ, ଟିମ୍‌ ସାଉଦି ଷଷ୍ଠ, ଜେମ୍ସ ଆଣ୍ଡରସନ ସପ୍ତମ, ଜୋସ ହାଜେଲଉଡ୍‌ ଅଷ୍ଟମ ଓ ନିଲ ୱାଗନର ନବମ ସ୍ଥାନରେ ରହିଛନ୍ତି ।