ଏକଜିଟ୍ ପୋଲ୍ ସତ ହେଲେ ଅଖିଳେଶଙ୍କୁ ମିଳିବ ଏହି ସବୁ ଖୁସି ଖବର

0
166
ଏକଜିଟ୍ ପୋଲ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୦୮/୦୩) : ଉତ୍ତର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ର ସପ୍ତମ ପର୍ଯ୍ୟାୟ ଭୋଟ୍ ପରେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପୁଣି ଥରେ ବିଜେପି ସରକାର ଗଠନ ହେବାକୁ ଯାଉଛି । ୪ଟି ସଂସ୍ଥା ପକ୍ଷରୁ ବିଜେପି ଓ ଏହାର ସହଯୋଗୀ ଦଳଙ୍କୁ ହାରାହାରି ୨୪୧ ଟି ଆସନ ଦିଆଯାଇଛି ।

୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ ଟି ଆସନ ର ଆବଶ୍ୟକତା ରହିଛି । ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ୧୪୦ ରୁ କିଛି ଅଧିକ ଆସନ ମିଳିବ । ମାୟାବତୀଙ୍କ ବିଏସପି କୁ ୧୩ ଏବଂ କଂଗ୍ରେସ କୁ ୪ଟି ଆସନ ମିଳିପାରେ ବୋଲି କୁହାଯାଇଛି । ତେବେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପାଇଁ ସମସ୍ତ ଏକଜିଟ୍ ପୋଲ୍ ସୂଚାଇ ଦେଇଛନ୍ତି ଯେ ଦଳ ୨୦୧୭ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ବି କ୍ଷମତା ଠାରୁ ଦୂରରେ ରହିବ ।

ଯଦି ଏକଜିଟ୍ ପୋଲ୍ ସତ୍ୟ ହୋଇଯାଏ, ତେବେ ଅଖିଳେଶଙ୍କୁ ୪ଟି ଖୁସି ଖବର ମିଳିବ । ପ୍ରାୟ ସମସ୍ତ ଏକଜିଟ୍ ପୋଲରେ କୁହାଯାଇଛି ଯେ ଏସପି ୧୦୦ ରୁ ୧୫୦ ଟି ଆସନ ପାଇପାରେ । ୨୦୧୭ ରେ ସପାକୁ କେବଳ ୪୭ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । ଏଥି ସହିତ, ଏକଜିଟ୍ ପୋଲ୍ ଯଦି ସତ ହେବ ୨୦୧୭ ତୁଳନାରେ ଦଳର ଭୋଟ୍ ସେୟାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ।

ଏଥି ସହିତ, ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ ସମାଜବାଦୀ ପାର୍ଟିର ଭୋଟ୍ ସେୟାର ୧୦-୧୫% ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛନ୍ତି । ପ୍ରାୟ ସମସ୍ତ ଏକଜିଟ୍ ପୋଲରେ ଭୋଟ୍ ସେୟାର ଆକଳନ ବିଶ୍ଳେଷଣରୁ ଜଣାପଡିଛି ଯେ ସମାଜବାଦୀ ପାର୍ଟି ବିଏସପି ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବାରେ ସଫଳ ହୋଇଛି । ତେବେ ଦଳ ପାଇଁ ଏହା ଏକ ଆଶ୍ଵସ୍ତି ର କଥା ଯେ ବିଏସପି ର ଭୋଟ ନିଜ ଆଡକୁ ନେବାକୁ ସପା ସକ୍ଷମ ହୋଇଛି ।

ଯଦି ବିଏସପି ର ଭୋଟର ସେୟାର ବିଜେପିକୁ ସ୍ଥାନାନ୍ତରିତ ହୋଇଥାନ୍ତା, ତେବେ ବିଜେପି ଗତ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗି ଦେଇଥାନ୍ତା । ଏହା ସହ ଏକଜିଟ ପୋଲରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଯେ ଆଗାମୀ ଦିନରେ ଲୋକମାନେ ବିଜେପି ର ବିକଳ୍ପ ପାଇବେ । ୨୦୧୭ ଏବଂ ତାପରେ ୨୦୧୯ ନିର୍ବାଚନରେ ​​ପ୍ରଥମେ କଂଗ୍ରେସ ଏବଂ ପରେ ବିଏସପି ସହ ଗଠବନ୍ଧନ ସତ୍ତ୍ୱେ ସମାଜବାଦୀ ପାର୍ଟିକୁ ସେତେ ଭଲ ଫଳାଫଳ ମିଳି ନଥିଲା ନିରାଶା ଜନକ ଫଳାଫଳ ପାଇଥିଲେ । ୨୦୨୨ର ଏକଜିଟ୍ ପୋଲରେ ଯଦିଓ ଦଳ କ୍ଷମତାକୁ ଫେରିବ ବୋଲି କୁହାଯାଇ ନାହିଁ, ତଥାପି ଦଳ ର ପ୍ରଦର୍ଶନ ନିଶ୍ଚିତ ଭାବେ କର୍ମୀଙ୍କ ଉତ୍ସାହ ବଢାଇବ ।