Friday, March 29, 2024

Top 5 This Week

Related Posts

୪୦ ଡିଗ୍ରୀ କୁ ଛୁଇଁଲା ତାପମାତ୍ରା : ଓଡ଼ିଶା ର ବଲାଙ୍ଗୀର ଜିଲ୍ଲା ସର୍ବୋଚ୍ଚ ଉତ୍ତପ୍ତ ଅଞ୍ଚଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର/ବଲାଙ୍ଗୀର, ତା(୧୮/୦୩) : ରାଜ୍ୟ ର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର୍‍ କରିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୦ ଡିଗ୍ରୀ ଉପରକୁ ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧି ସହ ରାଜ୍ୟ ର ଅନେକ ସ୍ଥାନରେ ହିଟ୍‍ୱେଭ୍‍ ପରିସ୍ଥିତି ସୃଷ୍ଟି ହୋଇଛି ।

ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରୁଥିବା ଯୋଗୁଁ ତାପାମାତ୍ରାରେ ଏହି ବୃଦ୍ଧି ଘଟିଛି । ଏହି ସ୍ଥିତି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବୁଧବାର ରାଜ୍ୟ ର ୩ଟି ସହର ଦିନ ର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଉପରେ ରହିଥିବା ବେଳେ ୪୦.୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟ ର ସବୁଠୁ ତତଲା ସହରରେ ପରିଣତ ହୋଇଛି । ସେହିପରି ଟିଟିଲାଗଡ଼଼ରେ ୪୦.୨ ଡିଗ୍ରୀ ଓ ଅନୁଗୁଳରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସ୍ଥିତି ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଗୁରୁବାର ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ନୟାଗଡ଼଼, ମୟୂରଭଞ୍ଜ ଓ ବାଲେଶ୍ୱର ଆଦିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ୯ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି ।

ଅନ୍ୟପଟେ ପ୍ରବଳ ଖରା ଯୋଗୁଁ ଏହି ୯ ଜିଲ୍ଲାରେ ବରିଷ୍ଠ ନାଗରିକ ଓ ଅସୁସ୍ଥମାନଙ୍କ ପାଇଁ ଅସହ୍ୟ ହେବାର ଆଶଙ୍କା ରହିଛି । ଏହା ସହିତ ଖରାର ସର୍ବାଧିକ ପ୍ରକୋପ ଦିନ ୧୧ ଟାରୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ରହୁଥିବାରୁ ଏହି ସମୟ ମଧ୍ୟରେ ବାହାରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ପାଣିପାଗ କେନ୍ଦ୍ର ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାକୁ ଥିବା ବେଳେ ପରବର୍ତ୍ତୀ ୨ ଦିନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ପାଣିପାଗ କେନ୍ଦ୍ର ର ସୂଚନାକୁ ଆଧାର କରି ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବଳ ଖରା ହେବା ନେଇ ଲୋକମାନଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଓ ଅସୁସ୍ଥ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଦିନ ୧୧ ଟାରୁ ୩ ଟା ମଧ୍ୟରେ ବାହାରକୁ ଗଲେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

Popular Articles