୧୦%ରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାଗୁଡ଼ିକରେ କଡାକଡି ହେବ କଟକଣା

0
186

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୧/୦୮) : ଦେଶରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଥିଲେ ମଧ୍ୟ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ୧୦%ରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାଗୁଡ଼ିକରେ କଠୋର କଟକଣା ଲାଗୁ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ।

୧୦%ରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲାଗୁଡ଼ିକରେ ଜନଗହଳି ପ୍ରତିରୋଧ କରିବା ଏବଂ ଲୋକମାନଙ୍କ ପାରସ୍ପାରିକ ମିଳାମିଶା ବନ୍ଦ କରିବା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ସମ୍ପୃକ୍ତ ରାଜ୍ୟମାନେ ସୁନିଶ୍ଚିତ କରିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ୧୦ଟି ରାଜ୍ୟର କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସଂକ୍ରମଣ ପ୍ରତିରୋଧ କରିବା ଲାଗି ଜନତାଙ୍କ ଚଳାଚଳ ବନ୍ଦ/ହ୍ରାସ କରିବା, ଜନଗହଳି ସୃଷ୍ଟି ଏବଂ ଜନତାଙ୍କ ମଧ୍ୟରେ ପାରସ୍ପରିକ ମିଳାମିଶା ବନ୍ଦ କରାଯିବା ଉଚିତ । ଏଭଳି ଅବସ୍ଥାରେ ଏହି ଏସବୁ ଜିଲ୍ଲାଗୁଡ଼ିକରେ କୌଣସି ପ୍ରକାରର କୋହଳ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ ।

କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଦର୍ଶାଉଥିବା ୧୦ଟି ରାଜ୍ୟ ହେଉଛନ୍ତି, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ମଣିପୁର ।

ସଙ୍କଟଜନକ ପରିସ୍ଥିତି ଥିବା ଜିଲ୍ଲାଗୁଡ଼ିକରେ କୋଭିଡ୍-୧୯ ପରୀକ୍ଷା ଏବଂ ଟିକାକରଣ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ଉପରୋକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ବିପଦଗ୍ରସ୍ତ ହେବା ଆଶଙ୍କା ଥିବା ଜନତାଙ୍କୁ କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ଦେବା ଉପରେ ପ୍ରାଧାନ୍ୟ ଦେବା ଲାଗି ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

୧୦ଟି ରାଜ୍ୟରେ ୮୦%ରୁ ଅଧିକ ସକ୍ରିୟ କୋଭିଡ୍-୧୯ ମାମଲା ‘ହୋମ୍ ଆଇସୋଲେସନ୍’ରେ ଥିବା କଥା ରିପୋର୍ଟ ହୋଇଛି ବୋଲି ମନ୍ତ୍ରାଳୟ ଉଲ୍ଲେଖ କରିଛି । ତେଣୁ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସହ ଡାକ୍ତରୀ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯିବା ଉଚିତ ବୋଲି ଭୂଷଣ କହିଛନ୍ତି ।