ଯୁଦ୍ଧରେ ୟୁକ୍ରେନ ହରାଇଲାଣି ୩ ହଜାର ସୈନ୍ୟ

0
162
ଯୁଦ୍ଧରେ ୟୁକ୍ରେନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ, (୧୬/୦୪) : ଫେବୃଆରୀ ୨୪ ରୁ ରୁଷ ସହ ଆରମ୍ଭ ହୋଇଥିବା ଯୁଦ୍ଧରେ ୟୁକ୍ରେନ ବ୍ୟାପକ କ୍ଷତି ସହିବାରେ ଲାଗିଛି । ରୁଷ ଭଳି ଶକ୍ତିଶାଳୀ ଦେଶ ର ମୁକାବିଲା କରୁଥିବା ୟୁକ୍ରେନ ଇତି ମଧ୍ୟରେ ପ୍ରାୟ ୩ ହଜାର ସୈନ୍ୟଙ୍କୁ ହରାଇ ସାରିଲାଣି । ସେହିପରି ୧୦ ହଜାରରୁ ଅଧିକ ସୈନ୍ୟ ଆହତ ହୋଇ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ତଥାପି ୟୁକ୍ରେନ ହାରି ମାନିନାହିଁ । ପୂର୍ବଭଳି ରୁଷ ସହ ୟୁକ୍ରେନ ର ସେନା ଲଢ଼େଇ କରୁଥିବା ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି ।

ଗୋଟିଏ ଚ୍ୟାନେଲକୁ ସାକ୍ଷାକାର ଦେଇ ଜେଲେନସ୍କି କହିଛନ୍ତି, ଯୁଦ୍ଧରେ ୟୁକ୍ରେନ ପ୍ରାୟ ୩ ହଜାର ସୈନ୍ୟଙ୍କୁ ହରାଇଛି । ଆହତ ହୋଇଥିବା ୧୦ ହଜାର ଯବାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ରୁଷ ର ଆକ୍ରମଣରେ ଅନେକ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି ।

ଶହଶହ ମୃତଦେହ ଧ୍ୱଂସସ୍ତୂପ ତଳୁ ମିଳୁଛି । ୟୁକ୍ରେନ ର ଆକଳନ ଅନୁଯାୟୀ ରୁଷ ମଧ୍ୟ ଯୁଦ୍ଧରେ ୧୯ ରୁ ୨୦ ହଜାର ଯବାନଙ୍କୁ ହରାଇଲାଣି । ୟୁକ୍ରେନରେ ରୁଷ ର ଆକ୍ରମଣ ଯୋଗୁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି । ତେଣୁ ଯୁଦ୍ଧରେ କେତେ ସାଧାରଣ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି, ତା’ର ଆକଳନ କରିବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି ।

ଜାତିସଂଘ ମାନବାଧିକାର କମିଶନର ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ୟୁକ୍ରେନରେ ୨ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ୟୁକ୍ରେନ ଅଧିକାରୀଙ୍କ କହିବା କଥା ରୁଷ ଯୁଦ୍ଧରେ ୧୮,୬୦୦ ଯବାନଙ୍କୁ ହରାଇଛି । ୩ ସପ୍ତାହ ତଳେ ନାଟୋ ୧୫ ହଜାର ରୁଷ ଯବାନଙ୍କ ମୃତ୍ୟୁ ଘଟିଥିବା କହିଥିଲା । ରୁଷ ମଧ୍ୟ ଗତ ମାସରେ ୧୩୫୧ ଜଣ ଯବାନ ଯୁଦ୍ଧରେ ପ୍ରାଣ ହରାଇଥିବା ସ୍ୱୀକାର କରିଥିଲା ।

ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଜେଲେନସ୍କି ଗଭୀର ଭାବେ ମର୍ମାହତ ହୋଇଛନ୍ତି । ସେ କହିଛନ୍ତି, “ଏହା ମୋ ପାଇଁ ବହୁତ ବଡ଼ ଯନ୍ତ୍ରଣାଦାୟକ ଘଟଣା । ଜଣେ ବାପା ହସିବାରେ ଏସବୁ ଦେଖିବାକୁ ମୋ ପାଇଁ କଷ୍ଟକର । କେବଳ ପ୍ରତିଶୋଧ ଓ ହତ୍ୟା ପାଇଁ ଆକ୍ରମଣ କରାଯାଉଛି । ଗୋଟିଏ ଦେଶ ର ରାଷ୍ଟ୍ରପତି ହିସାବାରେ ମୁଁ ବାଧ୍ୟ ହୋଇ ଶହଶହ ଲୋକଙ୍କ ମୃତଦେହ ଦେଖିବାକୁ ବାଧ୍ୟ ହେଉଛି ।

ଲୋକମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଆମେ ସମସ୍ତେ ଲଢ଼େଇ କରୁଛୁ ଓ ଆଗକୁ ମଧ୍ୟ କରିବୁ । ଆମେ ଜାଣିନୁ ଏ ଯୁଦ୍ଧ କେତେଦିନ ଚାଲିବ । କିଛି ଲୋକ କହୁଛନ୍ତି ସପ୍ତାହେ ତ ଆଉ କିଛି କହୁଛନ୍ତି ଯୁଦ୍ଧ ବର୍ଷବର୍ଷ ଧରି ଚାଲିବ । ଯୁଦ୍ଧ ଯେତେଦିନ ଚାଲିବ, ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛୁ ।

ରୁଷ ସତ ଚେଷ୍ଟା କରି ମଧ୍ୟ ତା’ ଯୋଜନାରେ ସଫଳ ହୋଇନି । ଆମ ଦେଶ ର ସେନା ଯୁଦ୍ଧ କ୍ଷେତ୍ରରେ ସେମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି । କିନ୍ତୁ ଏ ଯାଏଁ ଆମେ ସମ୍ପୂର୍ଣ୍ଣ ଭାବେ ବେଆଇନ ଦଖଲକାରୀଙ୍କୁ ଆମ ଦେଶରୁ ବାହାର କରିପାରି ନାହୁଁ । ଆମେ ସେମାନଙ୍କ ଉପରେ ଆହୁରି ବଡ଼ ପ୍ରହାର କରିବୁ ।”

ୟୁକ୍ରେନ ପୁଲିସ୍‌ ଇତି ମଧ୍ୟରେ ରାଜଧାନୀ କିଭ୍‌ ର ଆଖପାଖ ସହରରୁ ୯୦୦ ରୁ ଅଧିକ ମୃତଦେହ ଉଦ୍ଧାର କଲାଣି । ରୁଷ ଏଠାରୁ ସେନା ପ୍ରତ୍ୟାହାର କରିବା ପରେ ମୃତଦେହ ଗୁଡ଼ିକ ମିଳିବାରେ ଲାଗିଛି । ଅଧିକାଂଶ ମୃତକଙ୍କ ଦେହରେ ଗୁଳିମାଡ଼ ର ଚିହ୍ନ ରହିଛି । ଏହାର ଅର୍ଥ ସାଧାରଣ ଲୋକଙ୍କୁ ରୁଷ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିବା ୟୁକ୍ରେନ ପୁଲିସ୍‌ ସୂଚନା ଦେଇଛି ।