ବ୍ରୋଞ୍ଜ ପଦକ ଜିତିଲେ ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ : ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ

0
162

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଟୋକିଓ/ନୂଆଦିଲ୍ଲୀ,(୦୨/୦୮) : ଟୋକିଓ ଅଲିମ୍ପିକ୍ସରେ ପୁଣି ବ୍ରୋଞ୍ଜ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ । ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି । ଏହା ପୂର୍ବରୁ ସେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ ।

ମ୍ୟାଚର ପ୍ରଥମ ଗେମରେ ଦୁନିଆ ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ଦମଦାର ପ୍ରଦର୍ଶନ କରିଥିଲେ । ସିନ୍ଧୁ ନିଜର ପାୱାରଫୁଲ୍ ସ୍ମାଶ୍ ଦ୍ୱାରା ଚାଇନା ଖେଳାଳିଙ୍କୁ ନାକେଦମ କରିଥିଲେ । ପ୍ରଥମ ଗେମକୁ ଜିତିବା ପାଇଁ ସିନ୍ଧୁ ମାତ୍ର ୨୩ ମିନିଟ୍ ସମୟ ନେଇଥିଲେ ।

ଗ୍ରୁପ୍ ଷ୍ଟେଜରେ ସିନ୍ଧୁ ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ ଗେମରେ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ । ସେହିପରି ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ ।