Thursday, March 28, 2024

Top 5 This Week

Related Posts

ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୭/୪) : ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ । ଅଭିବକ୍ତ କୋରାପୁଟ ଜିଲ୍ଲାର ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ । ଏହି ଚାଷ କରି ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କ ପେଟକୁ ଦାନା ଯୋଗାଇଥାନ୍ତି । ଚାଷ ପାଇଁ ପାଣିପାଗ ଅନୁକୂଳ ହେବା ଅପରିହାର୍ଯ୍ୟ ।

ବୋଡିଗାଁରେ ଭବିଷ୍ୟତ ର ପାଣିପାଗକୁ ଜାଣିବା ପାଇଁ ଅଞ୍ଚଳ ଅନୁସାରେ ବାଲିଯାତ୍ରା ଅନୁଷ୍ଠିତ ହେଇଥାଏ । ଏହି ପର୍ବ ରେ ଏକ ନିର୍ଦ୍ଧିଷ୍ଟ ଜାଗାରୁ ବାଲି ସଂଗ୍ରହ କରି ହୁଣ୍ଡି ବା ବାଲି ଘରେ ଶତାଧିକ ଚାଙ୍ଗୁଡ଼ି ରେ ବିହନ ବୁଣିଥାନ୍ତି ଆଦିବାସୀ ସଂପ୍ରଦାୟ । କିଛି ଦିନ ପରେ ସେଥିରୁ ଗଜା ହୁଏ । ଏପରିକି ଆଶ୍ଚର୍ଯ୍ୟ ଜନକ ଭାବେ ଉଷୁନା ଚାଉଳ ବି ଗଜା ହୁଏ ଆଦିବାସୀ ଶିରା ବା ପୂଜକଙ୍କ ତତ୍ୱାବଧାନରେ । ଏହି ଆଧାରରେ ଶିରା ବା ଗାଁ ହୁଣ୍ଡି ପୂଜକ ତଥା ତାଙ୍କ ସାଥି ଗୁରୁମାଇଁ ମାନେ ସମସ୍ତଙ୍କୁ ଆଗାମୀ ଦିନରେ ପାଣିପାଗ ତଥା ଫସଲର ଭବିଷ୍ୟତ ବାଣି କରିଥାନ୍ତି ।

ଠିକ ସେହିପରି ଚଳିତ ବର୍ଷ ବୋରିଗୁମ୍ମା ବ୍ଲକ ର ବୋଡିଗାଁ ରେ ବାଲିଯାତ୍ରା ପାଳିତ ହୋଇଯାଇଛି । ଗ୍ରାମ ର ନିକଟବର୍ତ୍ତୀ ଜଳାଶୟ ଇନ୍ଦ୍ରାବତୀ ନଦୀ ରୁ ଗ୍ରାମ ର ଶତାଧିକ ପୁରୁଷ ମହିଳା ଗତ ୭ ତାରିଖରେ ଗୁରୁମାଇଗୁଡା ନଦୀ କୂଳରୁ ବାଲି ସଂଗ୍ରହ କରି ସେଥିରେ ବିଭିନ୍ନ କିସମର ବିହନ ବୁଣିଥିଲେ । ଏହି ବାଲିକୁ ଗ୍ରାମର ଶିରା ଶ୍ୟାମ ଜାନିଙ୍କ ଘରେ ରଖିଥିଲେ । ଆଜି ଦୀର୍ଘ ନଅ ଦିନ ପରେ ଏହି ବାଲିକୁ ଗ୍ରାମ ଦେବୀ ମନ୍ଦିରକୁ ଅଣାଯାଇଥିଲା । ପୂଜା କରିବା ପରେ ଚଳିତ ବର୍ଷ ପାଣିପାଗ ଠିକ୍ ବା କୃଷି ଉପଯୋଗୀ ରହିବ ବୋଲି ସୂଚନା ଦେଇ ଥିଲେ ।

ଏହି ବାଲି ଯାତ୍ରା ର ସୁପରି ଚାଳନା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଏକ ବାଲିଯାତ୍ରା ପରିଚାଳନା କମିଟି ଗଠନ କରାଯାଇ ଅଛି । ଏହି କମିଟିରେ ହରି ମୁଦୁଲି, ସୁଶାନ୍ତ ନାୟକ, ଗଣେଶ୍ୱରୀ ଆଚାରି, ମୁରଲି ମୁଦୁଲି, ସାନ୍ତନୁ ସାହୁ, ରବୀନ୍ଦ୍ର ବେହେରା ପ୍ରମୁଖ ବାଲିଯାତ୍ରା ପରିଚାଳନାରେ ପ୍ରମୁଖ ଦାୟିତ୍ୱ ବହନ କରୁଥିବା ଜଣାପଡିଛି ।

ଦୀର୍ଘ ୭ ଦିନ ଧରି ନାଟକ ଅନୁଷ୍ଠାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଆସୁଥିବା ବେଳେ ଗ୍ରାମବାସୀଙ୍କ ସମ୍ପର୍କୀୟ ମାନଙ୍କ ସମେତ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇ ଥିବା ବିଷୟ କମିଟି ର ଉପଦେଷ୍ଟା ଶ୍ରୀ ଭାସ୍କର ନାୟକ ସୂଚନା ପ୍ରଦାନ କରିଛନ୍ତି ।

ଅପରାହ୍ନରେ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବୋଡିଗାଁ ପହଞ୍ଚିବା ପରେ ବାଲି ଚାଙ୍ଗୁଡି ଗୁଡିକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଧାୟକଙ୍କ ଗହଣରେ ଗ୍ରାମଦେବୀଙ୍କ ମନ୍ଦିର ନିକଟରେ ଅବସ୍ଥିତ କାଷ୍ଠ ନିର୍ମିତ ଭୀମା ଦେବତାଙ୍କ ନିକଟକୁ ଅଣା ଯାଇ ପୂଜାର୍ଚ୍ଚନା କରାଯାଇଥିବା ଜଣାପଡିଛି । ଅସଂଖ୍ୟ ଦୋକାନ ବଜାର ଓ ବ୍ୟୟ ବହୁଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦୀର୍ଘ ଦିନ କରୋନା କଟକଣା ପରେ ଅଞ୍ଚଳ ବାସୀ ମନ ଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

Popular Articles