ବସ୍ତି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ୪ ଜଣ ଶିକ୍ଷିତ ଯୁବକ ଯୁବତୀ

0
132
ବସ୍ତି ପିଲାଙ୍କ

“ଆମ ବସ୍ତିର ଚାଟଶାଳୀ’ ନାଁରେ ପିଲାଙ୍କୁ ଯୋଗାଉଛନ୍ତି ମାଗଣା ଶିକ୍ଷା”
ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ରାଉରକେଲା, (୨୨/୦୪) : ବସ୍ତି ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ୪ ଶିକ୍ଷିତ ଯୁବକ ଯୁବତୀ । ନିଜ ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ମାଗଣାରେ ବସ୍ତି ପିଲାଙ୍କୁ ପାଠ ପଢ଼ାଉଛନ୍ତି ରାଉଲକେଲା ସେକ୍ଟର-୨୦ର ନେହେରୁପାଲୀ ବସ୍ତିର କରମ ସିଂ, ମହେଶ ନାଗ, କଲ୍ୟାଣୀ ବାଗ ଓ ରୂପାଲି ସିଂ ।

‘ଆମ ବସ୍ତିର ଚାଟଶାଳୀ’ କରି ବସ୍ତି ପିଲାଙ୍କୁ ପାଠ ପଢ଼ାଇ ବସ୍ତି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ନିଜ ବସ୍ତି ତଥା ସମାଜ ପାଇଁ କିଛି କରିବାର ସଂକଳ୍ପ ନେଇ ଶିକ୍ଷାଦାନ ପାଇଁ ଆଗେଇ ଆସିଛନ୍ତି ୪ ଶିକ୍ଷିତ ଯୁବକ ଯୁବତୀ ।

ଇସ୍ପାତନଗରୀ ର ନେହେରୁପାଲୀ ବସ୍ତିରେ ଚାଲିଛି ଆମ ବସ୍ତିର ଚାଟଶାଳୀ । ପାଖରେ ରହିଛି ଆଜାଦ ବସ୍ତି ଓ ମିଶ୍ରା ଖଟାଲ ବସ୍ତି । ଆଖପାଖ ବସ୍ତିର କୁନି କୁନି ପିଲାଙ୍କୁ ପାଠପଢାଇବା ପାଇଁ ଆଗେଇ ଆସିଛନ୍ତି ୪ ଜଣ ଶିକ୍ଷିତ ଯୁବକ ଯୁବତୀ । ରାଉରକେଲା ସେକ୍ଟର-୨୦ ନେହେରୁପାଲୀ ବସ୍ତିର କରମ ସିଂ, ମହେଶ ନାଗ, କଲ୍ୟାଣୀ ବାଗ ଓ ରୂପାଲି ସିଂ ପିଲାଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି ।

ଏଠାକାର ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପିଲାମାନେ ମୁଖ୍ୟତଃ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି । କରୋନା ମହାମାରୀ ବେଳେ ପିଲାଙ୍କ ପାଠପଢ଼ା ଏକ ପ୍ରକାର ଠପ ହୋଇଯାଇଥିଲା । ସେବେଠାରୁ ଏହି ଯୁବକ ଯୁବତୀ ମାନେ ଆରମ୍ଭ କରିଥିଲେ ‘ଆମ ବସ୍ତିର ଚାଟଶାଳୀ’ । ପୂର୍ବରୁ ଖୋଲା ଆକାଶ ଗଛ ତଳେ ଶିକ୍ଷାଦାନ ଚାଲିଥିବା ବେଳେ ଏବେ ପଲିଥିନ୍ ଘେରା କୁଡ଼ିଆରେ ପାଠପଢୁଛନ୍ତି ୫୦ ରୁ ଉଦ୍ଧ୍ୱର୍ ପିଲା । ବସ୍ତିରେ ସମସ୍ତେ ପାଠ ପଢ଼ନ୍ତୁ, ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଏହି ଲକ୍ଷ୍ୟରେ ଆଗେଇ ଚାଲିଛି ‘ଆମ ବସ୍ତିର ଚାଟଶାଳୀ’ ।

ବସ୍ତିର ଏହି ଶିକ୍ଷିତ ଯୁବକ ଯୁବତୀଙ୍କ ପ୍ରୟାସକୁ ଖୁବ ପ୍ରଶଂସା କରୁଛନ୍ତି ପାଠ ପଢ଼ୁଥିବା ପିଲାଙ୍କ ଅଭିଭାବକ । ଲକଡ଼ାଉନ୍ ଯୋଗୁଁ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ଏପଟେ କାମଧନ୍ଦା ନଥିବାରୁୁ ଟ୍ୟୁସନ ମଧ୍ୟ ସମ୍ଭବ ନଥିଲା । ଠିକ ସେତିକିବେଳେ ଏକ ଶୈକ୍ଷିକ ପରିବେଶ ତିଆରି କରି ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିଥିଲେ ବସ୍ତିର ଏହି ୪ ଶିକ୍ଷିତ ଯୁବକ ଯୁବତୀ ।

ପିଲାମାନେ ମାଗଣାରେ ପଢ଼ୁଛନ୍ତି ଏବଂ ଭଲ ମଧ୍ୟ ପଢ଼ୁଛନ୍ତି ଏଥିପାଇଁ ଖୁବ ଖୁସି ଅଛନ୍ତି ଅଭିଭାବକ । ଇସ୍ପାତନଗରୀ ରାଉରକେଲା ଅଂଚଳରେ ଶିକ୍ଷିତ ଯୁବକ ଯୁବତୀଙ୍କ ଏଭଳି ଉଦ୍ୟମ ବେଶ ପ୍ରଶଂସନୀୟ ହୋଇଛି । ତାଙ୍କର ଏହି ଚେଷ୍ଟା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।