ବିଦ୍ୟାଭାରତୀ ପଣ୍ଡାଙ୍କ ଗାଁ ‘ଗୌଡ଼’ ରେ ପାରଳାଖେମୁଣ୍ଡି ପୁଲିସ୍‌ : ତଦନ୍ତ ଜାରି

0
261

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି,ଉଦଳା,(୦୩/୦୮) : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ୨୩ ଦିନ ପରେ ବି ଲାଗି ରହିଛି ସସ୍ପପେନ୍ସ । ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ତାହା ଉପରୁ ପରଦା ଉଠାଇ ପାରୁନି ପୁଲିସ୍‌ । ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଘରେ ଆଜି ପୁଣି ଥରେ ପହଞ୍ଚିଛି ପୁଲିସ୍‌ ଟିମ୍ ।

ପାରଳାଖେମୁଣ୍ଡି ଆଇ.ଆଇ.ସି. ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ଗାଁ ଗୌଡ଼ରେ ପହଞ୍ଚିଛି । ଖବର ଲେଖାଯିବାକୁ ପୁଲିସ୍ ବିଦ୍ୟାଭାରତୀ ଙ୍କୁ ଜେରା କରୁଥିଲା ।

ଏହି ଟିମ୍‌ ପୂର୍ବରୁ ମଧ୍ୟ ଥରେ ବିଦ୍ୟାଭାରତୀଙ୍କୁ ପଚାର ଉଚରା କରିଥିବା ବେଳେ ଆଜି ତାଙ୍କ ଠାରୁ ଘଟଣା ସଂପର୍କରେ ଆଉ କି ତଥ୍ୟ ବାହାର କରିପାରିବ, ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି । ଏହାବାଦ ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାରୁ ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା । ସେହି ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ । ବିଦ୍ୟାଭାରତୀ ଏବଂ ତାଙ୍କ ବାପାମା’ଙ୍କୁ ନେଇଥିବା ଡ୍ରାଇଭରଙ୍କୁ ପୁଲିସ୍‌ ପଚରା ଉଚରା କରିବା ଦରକାର । ତା’ସହ ବିଦ୍ୟାଭାରତୀଙ୍କ ସହପାଠୀ କୁହାଯାଉଥିବା ଉଦଳା ଅଞ୍ଚଳର ଅକ୍ଷୟଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ବୋଲି କହିଛନ୍ତି ସୌମ୍ୟଙ୍କ ମାମୁ ପୁଅ ଭାଇ ।

ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ପଛରେ ପାରଳାଖେମୁଣ୍ଡି ଡି.ଏଫ.ଓ. ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ, ଓ.ଆଇ.ସି. ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ହେଲେ ପଚରାଉଚରା ପରେ ପୁଲିସ୍‌ ସେମାନଙ୍କୁ କ୍ଲିନଚିଟ୍‌ ଦେଇ ସାରିଲାଣି । ତେଣୁ ଏବେ ଘଟଣା ସମୟରେ ଉପସ୍ଥିତ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରୁଛି ପୁଲିସ୍‌ ।

ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ସରକାରୀ ଘରେ ଥିଲେ । ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ।

ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌.କେ.ସି.ଜି. ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।