ଅକ୍ଷୟ ତୃତୀୟା : ସବୁ ଅନୁକୂଳ ହୁଏ ଶୁଭ

0
159
ଅକ୍ଷୟ ତୃତୀୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୫) : ସବୁ ଅନୁକୂଳ ର ପର୍ବ ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏହି ଦିନଟି ସରକାରୀ ସ୍ତରରେ ‘କୃଷକ ଦିବସ‘ ରୂପେ ପାଳିତ ହୁଏ । କାରଣ କୃଷକମାନଙ୍କ ପାଇଁ ଏହି ଦିବସ ର ମାହାତ୍ମ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାକୁ ସେମାନେ ଏକ ଶୁଭ ଅବସର ବୋଲି ବିଶ୍ୱାସ କରିଆସିଛନ୍ତି ।

ତେଣୁ ଅକ୍ଷୟ ତୃତୀୟା ଦିନରେ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ବିଧି ରହିଆସିଛି । ସେଦିନ ଚାଷୀ ପରିବାର‌ରେ ଏକ ଉତ୍ସବ ର ମାହୋଲ ସୃଷ୍ଟି ହୁଏ । ଗୃହିଣୀମାନେ ଘରକୁ ଲିପାପୋଛା କରିବା ସହ ଚିତା ପକାଇ ସଜାଇଥାଆନ୍ତି । ହଳଦୀ, ଚନ୍ଦନ, ସିନ୍ଦୂର ବୋଳି ଧାନ ବିହନପୂର୍ଣ୍ଣ ନୂଆ ଗଉଣି ବା ଟୋକେଇକୁ ପାଟବସ୍ତ୍ରରେ ସଜାଇ ଦିଅନ୍ତି । ସେହିଭଳି ଲଙ୍ଗଳକୁ ମଧ୍ୟ ଅରୁଆ ଚାଉଳ ଚିତାରେ ସଜାଇ ଦିଆଯାଏ ।

ଏହା ପରେ ଶଙ୍ଖ ବଜା‌ଇ ଓ ହୁଳହୁଳି ପକାଇ ଗୃହିଣୀମାନେ ଲଙ୍ଗଳ ଧରିଥିବା କୃଷକକୁ ବିଲ ଅଭିମୁଖେ ବିଦାୟ ଦିଅନ୍ତି । କୃଷକ ଜମିରେ ପହଞ୍ଚି ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ । ମୁଠାମୁଠା ହଳଦୀ, ଚନ୍ଦନ ବୋଳା ଧାନ ବିହନ କିଆରୀରେ ବୁଣେ । ଏହି ଅଖିମୁଠି ଅନୁକୂଳ ପରେ ଆରମ୍ଭ ହୁଏ ବର୍ଷକ ପାଇଁ ଚାଷ ପ୍ରସ୍ତୁତି ।

ଏହି ଦିନ ସଧବା ମହିଳାମାନେ ମଧ୍ୟ ‘ଷଠିଦେବୀ’ଙ୍କ ପୂଜା କରିଥା’ନ୍ତି । ସବୁ କାମର ଅନୁକୂଳ ପାଇଁ ଏହି ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ସେଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ମଧ୍ୟ ଅନୁଷ୍ଠିତ ହୁଏ । ଏହି ତିଥି କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହୋଇଥିବାରୁ ଯେ କୌଣସି କାମ ଆରମ୍ଭ କଲେ ମହାଫଳ ପ୍ରାପ୍ତି ହୁଏ । ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧ କାଳରେ ଏହି ବ୍ରତକୁ ଆରମ୍ଭ କରି ଆଠ ବର୍ଷରେ ଉଦ୍‌ଯାପନ କରନ୍ତି । ଏହି ଦିନ ଜଳଦାନ କଲେ ପୁଣ୍ୟଫଳ ମିଳେ ବୋଲି ଲୋକକଥା ରହିଛି । କାହାଣୀଟି ଏମିତି ।

ପୁରାକାଳରେ ଜଣେ ପାପୀ ବ୍ୟକ୍ତି ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମ କାର୍ଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳ ଭିକ୍ଷା କଲେ । ପାପୀ ବ୍ୟକ୍ତିଟି ତାଙ୍କୁ ଜଳ ନଦେଇ କଟୁ କଥା କରି ବିତାଡ଼ିତ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ସୁଶିଳା ସ୍ବାମୀଙ୍କୁ ବାଧା ଦେଇଥିଲେ । ସୁଶିଳା ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ୟକ୍ତିଟିର ମୃତ୍ୟୁ ହୋଇଯାଏ ।

ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାକୁ ତିରସ୍କାର କରିଥିଲେ । ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ୟକ୍ତିକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ ଯେ ଏହି ବ୍ୟକ୍ତି ସାରା ଜୀବନ ପାପକର୍ମ କରିଥିଲେ ମଧ୍ୟ ଅକ୍ଷୟ ତୃତୀୟା ଦିନ ତାଙ୍କ ପତ୍ନୀ ତୃଷାର୍ତ୍ତ ବ୍ରାହ୍ମଣଙ୍କୁ ଜଳଦାନ କରିଥିଲେ । ପତ୍ନୀଙ୍କ ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ ।

ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମି ପୂଜା କରି ବୀଜବପନ କରୁଥିଲେ । ଭୂମି କର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଯୁଗରେ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ବଡ଼ ଶୁଭଦିନ ରୂପେ ବର୍ଣ୍ଣନା କରାଯାଏ ।