ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୫) : ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପ୍ରସଙ୍ଗରେ ଏବେ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ପ୍ରଥମେ ଟୁଇଟ୍ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ସେ ଟୁଇଟ୍ କରି ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଭାଇ, ଆପଣ ବୋଧହୁଏ ଅବଗତ ନାହାଁନ୍ତି ଯେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ । କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନ ର ଶାସନ ଚାଲିଛି ।
ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡି ର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି ?
ଖାଲି ସେତିକି ନୁହେଁ, ପ୍ରଣବ ଟୁଇଟ୍ କରି ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉର୍ଦ୍ଧ୍ଵରେ ? ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ । ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ଟୁଇଟ୍ କରିଥିଲେ । ସେ କହିଥିଲେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ ।
ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଥିଲେ । ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ପାଣିଗ୍ରାହୀଙ୍କ ଗିରଫଦାରୀ ।