ଲେମ୍ବୁ କିଣାରେ ଦୁର୍ନୀତି : ପୁଲିସ୍‌ ଅଧିକାରୀ ନିଲମ୍ବିତ

0
140
ଲେମ୍ବୁ କିଣାରେ ଦୁର୍ନୀତି

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୭/୦୫) : ଚଣ୍ଡିଗଡ଼ ଜେଲରେ ରହୁଥିବା କଏଦୀଙ୍କ ଖାଇବା ପିଇବା ପାଇଁ କିଣା ଯାଉଥିବା ସାମଗ୍ରୀରେ ବ୍ୟାପକ ହେରଫେର ହୋଇଛି । ବିଶେଷ କରି କଏଦୀଙ୍କ ପାଇଁ ଲେମ୍ବୁ କିଣାରେ ଦୁର୍ନୀତି ହୋଇଛି । କିଣିବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି ।

ଲେମ୍ବୁ କିଣାରେ ଦୁର୍ନୀତି ! ଏମିତି ଏକ ଅଭିଯୋଗ ଆସିଥିବା ପରେ ପଞ୍ଜାବ ର ଜଣେ ଜେଲ ସୁପରିନଟେଣ୍ଡଣ୍ଟଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଲେ ଗୁରୁନାମ ଲାଲ । ସେ କାପୁରଥାଲା ମର୍ଡନ ଜେଲ ର ସୁପରିନଟେଣ୍ଡଣ୍ଟ ଭାବେ କାମ କରୁଥିଲେ । ସେ ଜେଲ ରେକର୍ଡରେ କଏଦୀଙ୍କ ପାଇଁ ୫୦ କେଜି ଲେମ୍ବୁ କିଣିଥିବା ଦର୍ଶାଇଛନ୍ତି । ହେଲେ କଏକଦୀମାନେ କୌଣସି ପ୍ରକାରର ଲେମ୍ବୁ ପାଇ ନଥିବା ଅଭିଯୋଗ କରିଛନ୍ତି ।

ଜେଲରେ ରହିଥିବା ସୁବିଧା ଅସୁବିଧା ବୁଝିବାକୁ ଗୋଟିଏ ଟିମ୍‌ ଯାଇଥିଲା । ଟିମ୍‌ର ସଦସ୍ୟ ମାନେ କଏଦୀଙ୍କ ସହ କଥାବାର୍ତ୍ତା ହେବା ବେଳେ ସେମାନେ ଜେଲ ର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ସେମାନଙ୍କୁ ମିଳୁଥିବା ରାସନରେ ଲେମ୍ବୁ ଦିଆଯାଉ ନଥିବା ଅଭିଯୋଗ କରିଥିଲେ ।

ସଦସ୍ୟମାନେ ରେକର୍ଡ ଯାଞ୍ଚ କରିବାରୁ କଏଦୀଙ୍କ ପାଇଁ ଗତ ମାସରେ ୫୦ କେଜି ଲେମ୍ବୁ କିଣା ଯାଇଥିବା ଉଲ୍ଲେଖ ରହିଛି । ଗତ ମାସରେ ଲେମ୍ବୁର କେଜି ପିଛା ଦାମ ବିଭିନ୍ନ ସ୍ଥାନରେ ୨୦୦ ଟଙ୍କା ଛୁଇଁଥିଲା । ଏତିକି ବେଳେ ହିଁ ଜେଲ କର୍ତ୍ତୃପକ୍ଷ ଲେମ୍ବୁ କିଣିଥିବା କାଗଜପତ୍ରରେ ଦର୍ଶାଇଛନ୍ତି ।

ହେରଫେର ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବ ଜେଲ ବିଭାଗର ମନ୍ତ୍ରୀ ହରଜୋତ ସିଂହ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ସେ ଜେଲ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ବେଳେ ଅନେକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇଛି ।

କଏଦୀଙ୍କୁ ଲେମ୍ବୁ ଓ ଊପଯୁକ୍ତ ଖାଦ୍ୟ ସାମଗ୍ରୀ ମିଳୁ ନଥିବା ଅଭିଯୋଗ ଆସିବା ପରେ ଏଡିଜିପି (ଜେଲ୍‌) ବୀରେନ୍ଦ୍ର କୁମାର ଜେଲକୁ ଯାଞ୍ଚ କରିବା ପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇଥିଲେ । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କଏଦୀମାନଙ୍କୁ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ସେହିପରି ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମଧ୍ୟ ରନ୍ଧା ଯାଉନି । ଜେଲରେ ପ୍ରସ୍ତୁତ ହେଉଥିବା ରୁଟିର ଓଜନ ୫୦ ଗ୍ରାମରୁ କମ । ଏହାର ଅର୍ଥ ଜେଲ ପାଇଁ ଆସୁଥିବା ଅଟାକୁ ମଧ୍ୟ ଅନ୍ୟତ୍ର ହରଚାଲ କରାଯାଉଥିବା ଦୁଇ ଅଧିକାରୀ ଜାଣିବାକୁ ପାଇଥିଲେ ।

ଲେମ୍ବୁ ବ୍ୟତୀତ ଅନ୍ୟ ପନି ପରିବା କିଣାରେ ମଧ୍ୟ ହେରଫେର ହୋଇଛି । ରେକର୍ଡରେ ଗୋଟିଏ କଥା ଉଲ୍ଲେଖ ଥିବା ବେଳେ ବାସ୍ତବରେ ସେତିକି ପରିମାଣର ପନି ପରିବା ଜେଲକୁ ଆସୁ ନଥିବା ତଦନ୍ତକୁ ସ୍ପଷ୍ଟ ହୋଇଛି । ଏସବୁ ଘଟଣା ପାଇଁ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇ ଅଧିକ ତଦନ୍ତ କରାଯାଉଛି ।