ମାଁ ବିରଜାଙ୍କ ମନ୍ଦିର ଖୋଲିଲା : କେବଳ କରିହେବ ଦର୍ଶନ, ବେଢା ପରିକ୍ରମା ମନା

0
192

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଯାଜପୁର,(୦୪/୦୮) : ଦୀର୍ଘଦିନ ପରେ ଖୋଲିଛି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଁ ବିରଜାଙ୍କ ମନ୍ଦିର । ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ବ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ବଢିଯାଇଥିଲା । ଫଳରେ ସେବାୟତ ମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ ।

କୋଭିଡ଼ର ଗାଇଡ଼ ଲାଇନ ମାନି ମାଁ ବିରଜାଙ୍କ ମନ୍ଦିର ର ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବେ । ମା ଙ୍କ ବେଢା ପରିକ୍ରମା ନକରି କେବଳ ମାଙ୍କୁ ଦର୍ଶନ କରି ଫେରିବେ । ମାଙ୍କ ମନ୍ଦିର ଖୋଲିବାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ । ସେପଟ ମାଙ୍କ ବେଢା ପରିସରରେ ବିବାହ କାର୍ଯ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ ।

କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜି ଠାରୁ ମାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳ ୬ ଟାରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି ।

ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ । ଆସୁଥିବା ଭକ୍ତ ମାନେ ମା ଙ୍କ ପାଖରେ କୌଣସି ଭୋଗ ଲଗାଇପାରିବେ ନାହିଁ । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।