ମୌସୁମୀ ଟ୍ରଫ୍‌-ଲାଇନ୍‌ ଏବେ ପୂର୍ବରେ ଉତ୍ତରମୁହାଁ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

0
196

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୪/୦୮) : ମୌସୁମୀ ଟ୍ରଫ୍‌-ଲାଇନ୍‌ ଏବେ ପୂର୍ବରେ ଉତ୍ତରମୁହାଁ ହୋଇଛି । ଏହା ଏବେ ବିହାର, ଉତ୍ତରବଙ୍ଗ, ବାଂଲାଦେଶ ମଧ୍ୟ ଦେଇ ଗତି କରୁଛି । ଏଣୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି । ଏବେ ଉତ୍ତର ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି ।

ମୌସୁମୀ ଟ୍ରଫ୍‌-ଲାଇନ୍‌ ର ପ୍ରଭାବରେ ରାଜ୍ୟରେ ୪ରୁ ୬ତାରିଖ ମଧ୍ୟରେ ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅପରପକ୍ଷେ ୩ ଦିନ ଧରି ମୌସୁମୀ ଦୁର୍ବଳ ରହିଛି | ଫଳରେ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ୧ ଜୁନ୍‌ରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଉପରେ ୪୬୫.୯ ମିମି ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୫୯୯.୭ ମିମି ବର୍ଷା ହୋଇଥାଏ ।

ରାଜ୍ୟର ୧୫ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉପୁଜିଛି। ଏଥିସହ ଭଦ୍ରକ, ଯାଜପୁର ଓ ଗତପତିରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ଭଦ୍ରକ ଜିଲ୍ଲାରେ ୨୭୦.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି |