Friday, March 29, 2024

Top 5 This Week

Related Posts

ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୯/୫) : ଆଜି ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ର କେତେକ ପଞ୍ଚାୟତ ଏବଂ ବୌଦ୍ଧ ଏନଏସି ର ତଳି ଅଞ୍ଚଳ ଗୁଡିକରେ ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ଭାବନା ଥିବାରୁ ଡଙ୍ଗା, ଖାଦ୍ୟ ଶସ୍ୟ, ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ବିଦ୍ୟୁତ ଓ ପାଣିର ସୁବିଧା କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ବ୍ୟକ୍ତିଗତ ଭାବରେ ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସେଠାରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କ ଅନୁଧ୍ୟାନ କରିବା ସହିତ ତାହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଚିହ୍ନଟ କରାଯାଇ ସେଗୁଡିକୁ ପ୍ରସ୍ତୁତ ରଖାଯିବା ସହିତ ବନ୍ୟା ପରିସ୍ଥିତି ସମୟରେ ସେଗୁଡିକ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା ।

ବେସରକାରୀ ଡଙ୍ଗା ମାଲିକଙ୍କ ତାଲିକା ଓ ତାଙ୍କର ମୋବାଇଲ ନମ୍ବର ସଂଗ୍ରହ କରି ରଖାଯିବା ସହିତ ବନ୍ୟା ସମୟରେ ଆବଶ୍ୟକ ହେଲେ ସେମାନଙ୍କର ସହାୟତା ନିଆଯିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ସମୟରେ ବନ୍ୟାଞ୍ଚଳରେ ଥିବା ଲୋକମାନଙ୍କୁ ଆଗୁଆ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହିତ ସେମାନଙ୍କୁ ପୋଲିସ ସହାୟତାରେ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେହିପରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚୁଡା, ଗୁଡ, ଚାଉଳ, କ୍ୟାଣ୍ଡେଲ, ଦିଆସିଲି ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଚ୍ଚ ସ୍ଥାନରେ ଥିବା ପଡିଆ ଗୁଡିକୁ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକୀୟ ଜରୁରୀ ଔଷଧ, ସାପ କାମୁଡା ଓ କୁକୁର କାମୁଡା ଔଷଧ ଆଦି ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବନ୍ୟା ସମୟରେ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ଓ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ଚିହ୍ନଟ କରି ରଖାଯିବାକୁ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ବୈଠକରେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜିଲ୍ଲାରେ ଓଡ୍ରାଫ ଟିମ ପ୍ରସ୍ତୁତ ରଖାଯିବା ସହିତ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପ୍ରଦାନ ପାଇଁ ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ରାଜପଥ ର ଉଭୟ ପାଶ୍ୱର୍ରେ ଜୁନ ୩୦ ସୁଦ୍ଧା ମାଟି ପକାଇ ଚାରା ରୋପଣ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ଓ ଆଡିବନ୍ଧ ଗୁଡିକ ଉପରେ ଦୃଷ୍ଟି ଦିଆଯିବା ସହିତ ଆବଶ୍ୟକୀୟ ମରାମତି କରିବା, ବନ୍ୟା ସମୟରେ ଜିଲ୍ଲା ଓ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବା, ପ୍ରତିଦିନ ବର୍ଷା ପରିମାଣ ରେକର୍ଡ କରାଯିବା, ଏନଏସି ପକ୍ଷରୁ ସହର ର ଡ୍ରେନ ଗୁଡିକ ସଫେଇ କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ବନ୍ୟା ପରିସ୍ଥିତି ସମୟରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଛାସେବୀ ସଂଗଠନ ସହଯୋଗ ର ହାତ ବଢାଇବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଆହ୍ୱାନ ଜଣାଇଥିଲେ ।

ଏହି ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅବନିକାନ୍ତ ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଗୁଆ ସୂଚନା ପ୍ରଦାନ ପାଇଁ ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Popular Articles