ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦, କୋଭାକ୍ସିନର ୫୮ ମିଲିୟନ ଡୋଜ୍ ଉତ୍ପାଦନ କରିବ

0
180

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୫/୦୮) : ଭାରତୀୟ ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନକୁ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦ ମିଲିୟନ ଡୋଜ୍ ଓ କୋଭାକ୍ସିନର ୫୮ ମିଲିୟନ ଡୋଜ୍ ଉତ୍ପାଦନ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।

ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନ କ୍ଷମତା ବର୍ତ୍ତମାନ କେତେ ରହିଛି ଓ ଆଗକୁ ଏହା ମାସିକ କେତେରେ ପହଞ୍ଚିବ, ସେ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଗୃହକୁ ବିସ୍ତୃତ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ | ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଉତ୍ପାଦକାରୀ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଡିସେମ୍ବର ସୁଦ୍ଧା କୋଭିସିଲ୍ଡର ମାସିକ ଉତ୍ପାଦନ କ୍ଷମତା ୧୧୦ ମିଲିୟନ ଡୋଜରୁ ୧୨୦ ମିଲିୟନ ଡୋଜରେ ପହଞ୍ଚିବ । ସେହିପରି କୋଭାକ୍ସିନର ମାସିକ ଉତ୍ପାଦନ ୨୫ ମିଲିୟନ ଡୋଜରୁ ୫୮ ମିଲିୟନ ଡୋଜ୍ ହେବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ହିଁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ କୋଭିସିଲ୍ଡର ଉତ୍ପାଦନ କରୁଥିବା ବେଳେ ଭାରତ ବାୟୋଟେକ କୋଭାକ୍ସିନର ଉତ୍ପାଦନ କରୁଛି । ଭାରତ ବାୟୋଟେକ ହାଇଦ୍ରାବାଦରେ ରହିଛି ।

ଏଥିସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ‘ମିଶନ କୋଭିଡ ସୁରକ୍ଷା- ଭାରତୀୟ କୋଭିଡ-୧୯ ଟିକା ବିକାଶ ମିଶନ’ ଆରମ୍ଭ କରିଛି ।