ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ପୁର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି ରାଜ୍ୟ ସରକାର

0
167

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୫/୦୮) : ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟଙ୍କର ଅନ୍ୟ ଏକ ଖଣ୍ଡପୀଠ ସ୍ଥାପନ ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ପାଇ ନାହାନ୍ତି । ଏଥିପାଇଁ ପୁର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଆଜି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ।

ଜଷ୍ଟିସ୍ ଯଶୱନ୍ତ ସିଂହ କମିସନଙ୍କ ରିପୋର୍ଟ ସୁପାରିସରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟଙ୍କ ସ୍ଥାୟୀ ଖଣ୍ଡପୀଠ ଗଠନ ନିମନ୍ତେ ସରକାର ବିଚାର କରିବେ ନା, ଏଥିପ୍ରତି ଆଗ୍ରହୀ ବ୍ୟକ୍ତି ବିଶେଷକଙ୍କ ପରାମର୍ଶ କ୍ରମେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରିବେ ବୋଲି ସାଂସଦ ପୂଜାରୀ ପଚାରିଥିଲେ ।

ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରିଜିଜୁ କହିଲେ, ଯଶୱନ୍ତ ସିଂହ କମିସନ୍, ୨୦୦୦ ମସିହାର ‘ଡବ୍ଲୁ.ପି. (ସି) ନମ୍ବର ୩୭୯ରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟ ଏବଂ ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବକୁ ବିଚାର କରାଯାଇ ପ୍ରମୁଖ ଆସନ ବ୍ୟତୀତ ଅନ୍ୟତ୍ର ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ କରାଯାଇଥାଏ । ରାଜ୍ୟ ସରକାରଙ୍କ ପୂର୍ଣ୍ଣାଙ୍ଗ ପ୍ରସ୍ତାବରେ ଖଣ୍ଡପୀଠ ସ୍ଥାପନ ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେବା ଓ ବ୍ୟୟଭାର ବହନ କରିବାର ଆଗ୍ରହ ତଥା ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସମ୍ମତି ଆଦି ରହିବା ବାଞ୍ଛନୀୟ ବୋଲି ସେ କହିଛନ୍ତି ।

ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ସହ ପରାମର୍ଶ କରି ପ୍ରସ୍ତାବିତ ଖଣ୍ଡପୀଠ ସ୍ଥାପନ ହେବାକୁ ଥିବା ସ୍ଥାନ ନିରୂପଣ ଏବଂ ଖଣ୍ଡପୀଠ ସମ୍ବନ୍ଧୟ ସବିଶେଷ ବିବରଣୀ ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ।

ତେଣୁ, ଓଡ଼ିଶା ହାଇକୋର୍ଟଙ୍କ ଖଣ୍ଡପୀଠ ସ୍ଥାପନ ସଂକ୍ରାନ୍ତରେ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଡ଼ି ରହିନାହିଁ ବୋଲି ସେ କହିଛନ୍ତି ।