ଷ୍ଟାଫ୍ ସିଲେକ୍ସନ କମିଶନ ପିଏସଙ୍କ ଦୁର୍ନୀତି ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

0
185

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୫/୦୮) : ଷ୍ଟାଫ୍ ସିଲେକ୍ସନ କମିଶନ ପିଏସ ବିରଞ୍ଚି ସାହୁଙ୍କ ଗିରଫ ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଘଟଣାରେ ବିରଞ୍ଚିଙ୍କୁ ଓଏସଏସସି କମିଶନ ନିଲମ୍ବିତ କରିଥିବା ବେଳେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛି । ଏପରି ସ୍ଥଳେ ଏହି ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । 

ଷ୍ଟାଫ୍ ସିଲେକ୍ସନ କମିଶନ ପିଏସ ବିରଞ୍ଚି ସାହୁଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଓ ଚାକିରି ଆଶାୟୀଙ୍କଠାରୁ ଅର୍ଥ ସଂଗ୍ରହ ନେଇ ଅଭିଯୋଗ ଆସୁଥିବା ବେଳେ ଏହା ଉପରେ ତଦନ୍ତ କରିବ ଇଡି । କେଉଁଠୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ, ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା, ଅନ୍ୟ କେଉଁମାନଙ୍କର ଏଥିରେ ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କୋଟି କୋଟି ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କୁ ଗିରଫ କରିଥିଲା । ଏହପରେ ଗତକାଲି ଭିଜିଲାନ୍ସ ଟିମ୍ ଓଏସଏସସି କାର୍ଯ୍ୟାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା ।

ଏହାପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଏହି କାରବାର ସଂପର୍କରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିବ । କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଭିଜିଲାନ୍ସ ତାର ଖୋଳତାଡ କରିବ । କାରଣ ବିରଞ୍ଚିଙ୍କ ଭଳି ତୃତୀୟ ଶ୍ରେଣୀ କର୍ମଚାରୀ ବିନା ଉପରିସ୍ଥ ଅଫିସରଙ୍କ ସହାୟତାରେ ଚାକିରି କ୍ଷେତ୍ରର ହସ୍ତକ୍ଷେପ କରିବା ସମ୍ଭବ ନୁହେଁ ।

ସୂଚନା ଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବିରଞ୍ଚି । ତାଙ୍କ ଠାରୁ ସ ୩ କୋଟି ୮୨ ଲକ୍ଷର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ସେପଟେ ସୋମବାର ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଓଏସଏସସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ବେଆଇନ କାରବାର ଧୀରେ ଧୀରେ ଫିଟିବାରେ ଲାଗିଛି ।

୨୦୦୮ରେ ଓଏସଏସସି ଦ୍ୱାରା ପୋଲିସ ଏସଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଥିଲା । ମାମଲା ହାଇକୋର୍ଟଙ୍କ ପହଞ୍ଚିଥିବା ବେଳେ ଓଏସଏସସିକୁ ନୋଟିସ କରିଥିଲେ ହାଇକୋର୍ଟ । ଏମିତି ଏକାଧିକ ଆଶାୟୀ ଅନିୟମିତତା ଅଭିଯୋଗ ଆଣିଛନ୍ତି ।

ଭିଜିଲାନ୍ସ ପରେ ଏବେ ଇଡି ଉଭୟ ମାମଲାର ତଦନ୍ତ କରୁଥିବା ବେଳେ ଚାକିରି ପ୍ରକ୍ରିୟାରେ ଦୁର୍ନୀତି ପଛର ସତ୍ୟ ସାମ୍ନାକୁ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି ।