ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୧/୦୭) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସେଲି ପଞ୍ଚାୟତ ନିୟମଗିରି ର ସାରିଝଲା ଗାଁ ରେ ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ।
ଓଡ଼ିଶା ମାନଚିତ୍ରରେ ବାରମ୍ବାର ନିୟମଗିରି ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ଯୋଗୁଁ ଏହି ଭଳି ବିଭିନ୍ନ ପ୍ରକାର ର ସମସ୍ୟା ଦେଖିବାକୁ ମିଳିଛି । କେତେ ବେଳେ ଖଟିଆରେ, କେତେବେଳେ ଷ୍ଟ୍ରେଚର, କେତେବେଳେ କମଳ ବୁହା ସାହାଯ୍ୟରେ ଜୀବନ ବାଜି ଲଗାଇ ଘଞ୍ଚ ଜଙ୍ଗଲ ଝରଣା ପାହାଡ଼ ଚଲାପଥ ଦେଇ ମାଇଲ ମାଇଲ ବାଟରେ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥାନ୍ତି ।
ସରକାର ଙ୍କ ମନରେଗା ଯୋଜନା ଏବଂ ବିଭିନ୍ନ ବିଭାଗୀୟ ପାଣ୍ଠି ରୁ ଉନୟନ ମୂଳକ ରାସ୍ତା ର ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ନିମ୍ନ ମାନ ର ରାସ୍ତା କାମ ଯୋଗୁଁ କିଛି ଗାଁ କୁ ଆମ୍ବୁଲାନ୍ସ ତ ଦୂର ର କଥା ବାଇକ ଯିବା ର ମଧ୍ୟ କଷ୍ଟକର ହୋଇପଡୁ଼ଛି । ଏହି ରାସ୍ତା ଘାଟ ର ସମସ୍ୟା କୁ ନେଇ ପ୍ରଶାସନ ଆଗରେ ନାରା ଦେଉଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁନି । ଏହି ଭଳି ସମସ୍ୟା ଯୋଗୁଁ ରୋଗୀ ଓ ପ୍ରସ୍ତୁତି ମହିଳା ଜୀବନ ମଧ୍ୟ ବାଟରେ ଚାଲି ଯାଉଛି । ଖବର ନେବା ରୁ ଜଣା ପଡିଲା ଯେ ଆଜି ସକାଳେ ସାରିଝଲା ଗାଁ କାଡ୍ରାକା ଡ଼ିକିଚି (୩୫) ଙ୍କ ଜନନୀ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।
୧୦୮ ଆମ୍ବୁଲାନ୍ସ ଅଧା ବାଟରେ ପହଞ୍ଚିଥିଲା ସେଠାରୁ ପ୍ରାୟ ୨ କିଲୋମିଟର ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ଡ୍ରାଇଭର ଉମାକାନ୍ତ ଦଳେଇ ଷ୍ଟ୍ରେଚର ଧରି ଗାଁ କୁ ପହଞ୍ଚି ଥିଲେ । ସେଠାରୁ ଡିକିଚ କୁ ଷ୍ଟ୍ରେଚର ସାହାଯ୍ୟରେ ବୁହି ଆଣିବା ବେଳେ ଅଧ ବାଟରେ ପ୍ରସବ କରିଥିଲେ । ପ୍ରସବ ମହିଳା ଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଥିଲେ । ଭର୍ତ୍ତି କରିବା ପରେ ଡାକ୍ତର ବିବେକ ନନ୍ଦ ମହାପାତ୍ର ମାଁ ଓ ଶିଶୁ କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ମାଁ ଶିଶୁ ସୁସ୍ଥ ଥିବା ଜଣାପଡିଛି ।