ଶ୍ରାବଣରେ ବର୍ଷା ଉଭାନ, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ : ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ

0
166

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୮/୦୮) : ଶ୍ରାବଣରେ ବର୍ଷା ଉଭାନ, ହେଉଛି ଭୀଷଣ ଗରମ । ବୌଦ୍ଧରେ ପାରଦ ୩୬ ଡିଗ୍ରୀ ସେଲସିୟସ୍‌ ଛୁଇଁଲାଣି । ଉପକୂଳ ଓଡ଼ିଶା ତାପମାତ୍ରା ୩୪ ଡିଗ୍ରୀ ଉପରେ । ଆର୍ଦ୍ରତା ବି ୯୫%ରେ ପହଞ୍ଚିଲାଣି ।

ଶ୍ରାବଣରେ ଏଭଳି ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ଏବେ ଏଭଳି ଗରମ ଜାରି ରହିବ । ବର୍ଷାର ବିଶେଷ ସମ୍ଭାବନା ନାହିଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁଲାଇ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି । ମୌସୁମୀ ଟ୍ରଫ୍‌ ଉତ୍ତରାଭିମୁଖୀ ହୋଇ ହିମାଳୟ ପାଦଦେଶରେ ଅବସ୍ଥିତ ରହିଛି । ଏହି ସମୟକୁ ମୌସୁମୀ ବିରତି କୁହାଯାଏ । ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ପ୍ରାୟ ଆହୁରି ଏକ ସପ୍ତାହ ଲାଗିପାରେ । ଆକଳନ କରାଯାଉଛି, ଉତ୍ତର ଓଡ଼ିଶା ବ୍ୟତିତ ରାଜ୍ୟର ଅନେକ ସ୍ଥାନରେ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅଧିକ ରହିବ ।

ଭୁବନେଶ୍ୱରରେ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ପାଖାପାଖି ରହିବ । ୧୨ରେ କିଛି ବର୍ଷା ଯୋଗୁ ତାପମାତ୍ରା ତାପମାତ୍ରା ୧ରୁ ୨ ଡିଗ୍ରୀ କମିପାରେ । ସମ୍ଭବତଃ ୧୩ ତାରିଖ ଯାଏ ୩୩ ଡିଗ୍ରୀରୁ କମିବା ସମ୍ଭାବନା କମ୍‌ । ଅନୁଗୁଳ ସମେତ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଅବସ୍ଥା ପ୍ରାୟ ଏଭଳି ରହିବ ।

ଉପକୂଳର ଗଞ୍ଜାମରେ ୧୧ ତାରିଖ ଯାଏ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ରହିପାରେ । ବଲାଙ୍ଗିର ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ୧୦ ଯାଏ ପାରଦ ବଢ଼ି ୩୫ ଡିଗ୍ରୀ ଛୁଇଁବା ସମ୍ଭାବନା ଅଛି । ୧୨ରେ ବର୍ଷା ଯୋଗୁ ପାରଦ ୨ରୁ ୩ ଡିଗ୍ରୀ କମିପାରେ । ପୁରୀରେ ମଧ୍ୟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍‌ କମିମ୍ବା ତା’ଠାରୁ ଅଧିକ ରହିପାରେ ।

ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ଗୁଳୁଗୁଳି ମଧ୍ୟ ଜାରି ରହିବ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏମିତି ହେଲେ ତାପମାତ୍ରା ସାମୟିକ ଭାବେ କମିବ । ମୌସୁମୀ ସକ୍ରିୟ ନ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଅଗଷ୍ଟ ୧୫ ଯାଏ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ପରିଲକ୍ଷିତ ହେଉନାହିଁ । ପାଗ ପ୍ରାୟତଃ ଶୁଖିଲା ରହିବ । ଗୁଳୁଗୁଳି ଜାରି ରହିବ । କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୦ ତାରିଖ ପରେ ରାଜ୍ୟରେ ବର୍ଷା ବଢ଼ିପାରେ ।

ଶନିବାର ବୌଦ୍ଧ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାଳଚେର ୩୫.୬, ଅନୁଗୁଳ ୩୫.୧, ବାଲେଶ୍ୱର ୩୪.୯ ଡିଗ୍ରୀ ଥିଲା । ଚାନ୍ଦବାଲି, ପାରାଦୀପ, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼, ସୋନପୁର, ନୟାଗଡ଼ରେ ପାରଦ ୩୪ ଡିଗ୍ରୀ ଉପରେ ଥିଲା । କଟକରେ ୩୩.୬, ଭୁବନେଶ୍ୱରରେ ୩୩.୯, ବାରିପଦା ୩୩.୪ ଡିଗ୍ରୀ ରହିଥିଲା । ଅଧିକାଂଶ ସ୍ଥାନରେ ଆର୍ଦ୍ରତା ପରିମାଣ ୮୦%ରୁ ୯୫% ମଧ୍ୟରେ ରହିଥିଲା । ତେଣୁ ଗରମ ସହ ଗୁଳୁଗୁଳି ପ୍ରକୋପ ଜାରି ରହିଛି ।