ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସମିତି ର ଗଭର୍ନିଙ୍ଗ ବଡି ବୈଠକ ଅନୁଷ୍ଠିତ

0
197
ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୫/୦୭) : ରାୟଗଡ଼ା ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ସ୍ୱସ୍ଥ୍ୟ ମିସନ ଏବଂ ରୋଗୀ କଲ୍ୟାଣ ସମିତି ର ଗଭର୍ନିଙ୍ଗ ବଡି ବୈଠକ ବାରିଝୋଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ରାୟଗଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ସମିତି ର ଗଭର୍ନିଙ୍ଗ ବଡି ବୈଠକ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ଅବସରରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା, ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ, ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓ ଆଇନ ବିଭାଗ ର ମନ୍ତ୍ରୀଙ୍କ ପ୍ରତିନିଧି ସୁଧୀର କୁମାର ଦାସ ଓ ଗୁଣୁପୁର ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଲାଲମୋହନ ରାଉତରାୟ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।

ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ୱତି ମାଝୀ ଜିଲ୍ଲା ର ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ କିଭଳି ଉନ୍ନତି ଆସିପାରିବ ଓ ତୃଣମୂଳ ସ୍ତରରେ ଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିବ ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ ।

ଏହି ବୈଠକରେ ୨୦୨୧-୨୨ ବର୍ଷ ର ବାର୍ଷିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଜାତୀୟ ସ୍ୱାସ୍ଥ୍ୟ ମିସନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜେ. ରାଜେଶ୍ୱର ରାଓ ପଟ୍ଟନାୟକ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ର ର ଉନ୍ନତି ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଉଲ୍ଲାକା ନିଜ ଅଭିଭାଷଣରେ କହିଥିଲେ ଯେ ଜିଲ୍ଲା ର ବିଭିନ୍ନ ଚିକିତ୍ସାଳୟରେ ଖାଲି ରହିଥିବା ବିଶେଷଜ୍ଞ ଡାକ୍ତରଙ୍କ ପଦବୀ ପୁରଣ କରିବା ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା ଡିସେମ୍ବର ସୁଦ୍ଧା ଆପାତକାଳୀନ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ବେଳେ ୧୩୯ ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଜରିଆରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ୧୨ ଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଶ୍ଚିତ କରାଯାଇଛି । ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂଙ୍କ ନିର୍ଦ୍ଦେଶରେ କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡା ବାନ୍ତି ଜନିତ ସମସ୍ୟା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡାକ୍ତରୀଦଳଙ୍କୁ ନିୟୋଜିତ କରାଯାଇଛି ।

ଏହା ସହିତ ଉତ୍କଳ ଆଲୁମିନା ପକ୍ଷରୁ ପରିସ୍ଥିତି ମୁକାବିଲା କରିବା ନିମନ୍ତେ ଏକ ଡାକ୍ତରୀଦଳକୁ ନିୟୋଜିତ କରାଯାଇଛି । ପରିସ୍ଥିତି ଆୟତ ହେବା ଯାଏଁ ଏହି ସେବା ଜାରି ରହିବ । କେତେକ ପାନୀୟଜଳ ଉତ୍ସ ଗୁଡିକୁ ବିଶୋଧନ କରାଯିବା ସହିତ ଅବଶିଷ୍ଟ ଜଳ ଉତ୍ସ ଗୁଡିକୁ ତୁରନ୍ତ ବିଶୋଧନ କରାଯିବାକୁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଏହା ସହିତ ପ୍ରଭାବିତ ଅଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି । ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ନିୟମିତ ବ୍ୟବଧାନରେ ବିଭିନ୍ନ ବ୍ଲକ ଗସ୍ତ କରି ଖାଦ୍ୟର ମାନ, ପ୍ରସ୍ତୁତି ଓ ପ୍ରକ୍ରିୟାକରଣ ଗୁଡିକର ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ସହାୟତାରେ ଏହି ଜାଞ୍ଛ କରି ଆବଶ୍ୟକୀୟ କାର୍ଯାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ବିଭିନ୍ନ ତାଲିକାଭୁକ୍ତ ଚିକିତ୍ସାଳୟ ଏବଂ ସେଠାରେ ମିଳୁଥିବା ବିଶେଷଜ୍ଞ ସେବା ବିଷୟରେ ସମସ୍ତ ଉପଭୋକ୍ତା ମାନଙ୍କୁ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ମାନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବା ସହିତ ହିତାଧିକାରୀମାନଙ୍କୁ ସଠିକ ସେବା ପ୍ରଦାନ କରିବା ଦିଗରେ ଏକ ବ୍ଳକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ପରିବାର କଳ୍ୟାଣ ସେବା କ୍ଷେତ୍ରରେ ଜିଲ୍ଲାକୁ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ । ଶ୍ରୀ ଜେ. ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆଜିର ବୈଠକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।