ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀରେ ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମର ସଚେତନତା କାର୍ଯ୍ୟକ୍ରମ

0
199

ରିପୋର୍ଟ : ଦେବଦତ୍ତ ରଥ
ବ୍ରହ୍ମପୁର,(୦୯/୦୮) : ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବୀରେ ସଚେତନତା କାର୍ଯ୍ୟକ୍ରମ କରିଛି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ । ବିଗତ ଦିନରେ ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ସମେତ ଶତାଧିକ ସାମାଜିକ ସଙ୍ଗଠନ ମିଳିତ ଆନୂକୁଲ୍ୟରେ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତଥା ଦାବିପତ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ପ୍ରସାଶନ ନିକଟରେ ଦାବି ଜଣାଇ ଆସୁଛି । କିନ୍ତୁ ୨ ଦିନ ତଳେ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ଆଚମ୍ବିତ ଓ ନିରାଶ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବାରମ୍ବାର ଲଲିପପ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ । ୨୦୧୬ରେ ରଙ୍ଗେଇଲୁଣ୍ଡାରେ ମୁଖ୍ୟମନ୍ତ୍ରୀ ଭୂମିପୂଜନ କରିଥିଲେ । କିନ୍ତୁ ଆଦି ପର୍ବରେ ଗୋଟେ ପଥର ପକାଯାଇନି । ନବୀନ ପଟ୍ଟନାୟକ ମହୋଦୟ ଯେଉଁଠାରୁ ଆଶୀର୍ବାଦ ପାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଏବେ ସେହି ସରଳ ଲୋକଙ୍କୁ ମିଛ କହିବା ବେଳେ ଲଜ୍ଜା ଲାଗିବା କଥା । ସେ ଭୁଲି ଗଲେ କି ୧୨ ବର୍ଷ ତଳେ ଏହି ଚେଷ୍ଟା ହୋଇସାରିଛି ।

ଭୁବନେଶ୍ୱରକୁ ସଂଯୋଗ ନାଁ’ରେ କିଛି ଦିନ ବିମାନ ଚାଲିଥିଲା ଓ ତାହା ସୁପର ଫ୍ଲପ ରହିଲା । କାରଣ ଯେଉଁଠାରେ ଏହି ଅଞ୍ଚଳର ଲକ୍ଷ ଲକ୍ଷ ପ୍ରବାସୀ ରହୁଛନ୍ତି ସେହି ସହର ସହ ବ୍ରହ୍ମପୁରରୁ ପ୍ରତିଦିନିଆ ବିମାନ ସେବା ଦରକାର, ଭୁବନେଶ୍ଵର ଓ ବିଶାଖାପାଟଣାକୁ ନୁହଁ ବୋଲି ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଗତ ୨୫ ବର୍ଷରେ ଏହି ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ ଯେଉଁ ପରି ଠକିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି ତାହା ଦୁର୍ଭାଗ୍ୟଜନକ ।

ମୁଖ୍ୟମନ୍ତ୍ରୀ ଆଜି ଆଉ ଏକ ଧୂଆଁ ବାଣ ମାରି ଯଦି ଭାବୁଛନ୍ତି ଗଞ୍ଜାମ ଲୋକଙ୍କୁ ପୁଣି ମୂର୍ଖ ବନାଇଦେବେ, ତେବେ ସେ ଭୁଲ୍ ଭାବୁଛନ୍ତି । ଆଜି ଆଉ ଥରେ ଓଡ଼ିଶା ଡେଭ୍ଲପମେଣ୍ଟ ଫୋରମ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଅଧିକ ସଙ୍ଗଠନ ପୁଣି ଶପଥ ନେଉଛୁ ଯେ ଯେଉଁ ପର୍ଯ୍ୟନ୍ତ ବ୍ରହ୍ମପୁରରେ ସବୁଦିନିଆ ଗ୍ରୀନଫିଲ୍ଡ଼ ଡୋମେଷ୍ଟିକ ଏବଂ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ନହୋଇଛି ଓ ବାଙ୍ଗାଲୋର, ହାଇଦ୍ରାବାଦ, ମୁମ୍ବାଇ, କଲିକତା, ପୁଣେ, ସୁରତ, ଦିଲ୍ଲୀ ପ୍ରଭୂତି ବଡ଼ ସହର ସହ ବିମାନ ସେବା ଆରମ୍ଭ ନହୋଇଛି ସେହି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡେଭଲପମେଣ୍ଟ ଫରୋମ ଏବଂ ଅନ୍ଯାନ୍ଯ ସଂଗଠନ ମିଶି ବ୍ରହ୍ମପୁର ବଡ଼ ଠାକୁରାଣୀଙ୍କ ନିକଟରୁ ଆଶୀର୍ବାଦ ନେଇ ଘରକୁ ଘର ବୁଲି ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯେତେଦିନ ପର୍ଯ୍ୟନ୍ତ ସରକାର ଆମର ଦାବି ଗ୍ରୀନଫିଲ୍ଡ଼ ଡୋମେଷ୍ଟିକ ଏବଂ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ଫୋରମ ଚେତାବନୀ ଦେଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫରୋମର ଉପସଭାନେତ୍ରୀ ବବିତା ପାତ୍ର ,ଲକ୍ଷ୍ମୀନାରାୟଣ ପାଢ଼ୀ, ସୌମେଶ୍ବର ରାଓ, ମଧୂସୁଦନ ସାହୁ, ବାଳକୃଷ୍ଣ ସାମନ୍ତରାୟ, ଏଲ. ସୁର୍ଯ୍ୟନାରାୟଣ, ପ୍ରିତୀଷ ପାଣିଗ୍ରାହୀ, ଗୁପ୍ତେଶ୍ଵର ଷଡ଼ଙ୍ଗୀଙ୍କ ସମେତ ବହୁ ସଂଖ୍ୟକ ସାମାଜିକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ ।