Thursday, March 28, 2024

Top 5 This Week

Related Posts

ଶିଳ୍ପାଞ୍ଚଳରେ ହଠାତ୍‌ ଲିକ୍‌ ହେଲା ବିଷାକ୍ତ ଗ୍ୟାସ : ୬୮ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବିଶାଖାପାଟଣା/ନୂଆଦିଲ୍ଲୀ, (୦୩/୦୮) : ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୬୮ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ରୁ ଊର୍ଦ୍ଧ୍ୱ ମହିଳା ଅଛନ୍ତି । 

ଏହି ଅଘଟଣ ଆନ୍ଧ୍ର ପ୍ରଦେଶ ର ଅନାକାପଲ୍ଲେ ଜିଲ୍ଲା ର ଅଚ୍ୟୁତାପୁରମ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଥିବା ଏକ ପୋଷାକ ଉତ୍ପାଦନ ଶିଳ୍ପାଞ୍ଚଳରେ ଘଟିଛି । ଗ୍ୟାସ୍‌ ଲିକ୍‌ ହେବା ଯୋଗୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ସେମାନେ ଅଣନିଶ୍ୱାସୀ ହେବା ସହ ସେମାନଙ୍କ ଆଖି ପୋଡ଼ିଥିଲା । ଏଥିସହ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୫୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଅନାକାପଲ୍ଲେର ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗ୍ୟାସ୍‌ ଲିକ୍‌ ଯୋଗୁ ୬୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ତୁରନ୍ତ ଉକ୍ତ ସ୍ଥାନ ଖାଲି କରାଯାଉଛି । ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ଏପରି ଘଟଣା ଘଟିଥିବା ତଦନ୍ତକାରୀ ଅଧିକାରୀ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ୍ସ ଟେକନୋଲଜିର ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ବିଷାକ୍ତ ଗ୍ୟାସ୍‌କୁ ଟେଷ୍ଟିଂ ପାଇଁ ଲ୍ୟାବ୍‌କୁ ପଠାଇଛନ୍ତି । ଏହି ଘଟଣା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଗତ ୪ ମାସରେ ଏହା ତୃତୀୟ ଗ୍ୟାସ୍ ଘଟଣା ବୋଲି କୁହଯାଉଛି । ଏପରି ସମାନ ଘଟଣା ଗତ ଜୁନ ୩ ତାରିଖରେ ବି ଘଟିଥିଲା, ଯେଉଁଥିରେ ମହିଳାମାନେ ଆଖି ପୋଡ଼ିବା ସହ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ ।

Popular Articles