ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା ବ୍ୟାଙ୍କ କର୍ମଚାରୀ ଗାଏବ

0
120
ନିଜ କାମ ସାରି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୧/୦୮) : ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା କର୍ମଚାରୀ ହଠାତ୍‌ ମଝିରୁ ଗାଏବ ହୋଇଯାଇଛନ୍ତି । ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ତାଙ୍କ ପତ୍ତା ମିଳୁନି । ଆଶଙ୍କାରେ ଥିବା ପରିବାର ଲୋକେ ପୁଅକୁ ଖୋଜି ବାହାର କରିବାକୁ ଗୁହାରୀ କରିଛନ୍ତି ।

ନିଜ କାମ ସାରି ବ୍ୟାଙ୍କରୁ ଘରକୁ ଫେରୁଥିବା ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର । ବଲାଙ୍ଗୀର-ସମ୍ୱଲପୁର ଏନ.ଏଚ. ୨୬ ର ଚେରୁପାଲି ଅଙ୍ଗ ନଦୀ ବ୍ରିଜ ଉପରୁ ତାଙ୍କ ବାଇକ୍‌, ବ୍ୟାଗ, ହେଲମେଟ ମିଳିଥିବା ବେଳେ ତାଙ୍କ ପତ୍ତା ମିଳିପାରିନି ।

ଦିବ୍ୟ ରଞ୍ଜନ ଗତକାଲି ସୋନପୁର ଜିଲ୍ଲା ର ବିନିକା ଅଞ୍ଚଳକୁ ବ୍ୟାଙ୍କ କାମରେ ଯାଇଥିଲେ । ସନ୍ଧ୍ୟା ୬ ଟାରେ ନିଜ ସ୍ତ୍ରୀଙ୍କୁ କଲ କରି, ଘରକୁ ଫେରୁଥିବା କହିଥିଲେ । କିନ୍ତୁ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା । ତା’ପରେ ପରିବାର ଲୋକେ ବିନିକା ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତିରେ ଖବର ମିଲିଥିଲା ଯେ, ଚେରୁପାଲି ବ୍ରିଜ ନିକଟରେ ଏକ ବାଇକ୍‌ ଛିଡ଼ା ହୋଇଛି । ପରିବାର ଲୋକେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ । ବିଲମ୍ୱିତ ରାତିରେ ଲୋଇସିଂହା ଏବଂ ଡୁଙ୍ଗୁରିପାଲି ପୁଲିସ୍‌ ପହଞ୍ଚି ତଦନ୍ତ କରିଥିଲେ । ରାତି ହୋଇଯାଇଥିବାରୁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟକୁ ଆସି କୌଣସି ପ୍ରକାର ଖୋଜାଖୋଜି ନ କରି ଫେରି ଯାଇଥିଲା । ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବ ବୋଲି ଜଣାଯାଇଛି ।

ପରିବାର ଲୋକଙ୍କ କହିବା କଥା, ଦିବ୍ୟରଞ୍ଜନଙ୍କର କେହି ଶତ୍ରୁ ନଥିଲେ । ପରିବାର ସହିତ ମଧ୍ୟ କାହାର କୌଣସି ବିବାଦ ନ ଥିଲା । ତେଣୁ ସେ ଆତ୍ମହତ୍ୟା କରିନଥିବେ । ଅନ୍ୟ କିଛି ଅଘଟଣ ହୋଇଥିବା ଆଶଙ୍କା କରୁଛନ୍ତି ପରିବାର ଲୋକେ ।

ଏ ନେଇ ଦିବ୍ୟ ରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର କହିଛନ୍ତି, ମୋ ପୁଅ ଗତକାଲି ବିନିକା ଯାଇଥିଲା । ସେଠାରୁ ସନ୍ଧ୍ୟା ୬ଟାରେ ବାହାରିଥିଲା । ଏହାପରେ ତା’ର ମୋବାଇଲ ସୁଇଚ ଅଫ୍‌ ହୋଇଯାଇଥିଲା । ତା’ ବାଇକ୍‌, ହେଲମେଟ, ବ୍ୟାଗ ପାଇଛୁ । ବହୁ ଖୋଜାଖୋଜି କରିକି ବି ତାକୁ ପାଉନୁ । ମୋ ପୁଅକୁ ଖୋଜି ଆଣିବାକୁ ମୁଁ ପୁଲିସ୍‌କୁ ଅନୁରୋଧ କରୁଛି ।