ସାଉଥ ସୁପରଷ୍ଟାର ବିଜୟଙ୍କୁ ଆଶ୍ୱସ୍ତି : ଆୟକର ବିଭାଗ ର ଫାଇନ ଉପରେ ଲାଗିଲା ରୋକ

0
135
ସାଉଥ ସୁପରଷ୍ଟାର

ରିପୋର୍ଟ : ରାମନାଥ ଗନ୍ତାୟତ
ଚେନ୍ନାଇ/ଭୁବନେଶ୍ୱର, (୧୭/୦୮) : ସାଉଥ ସୁପରଷ୍ଟାର ବିଜୟଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଆୟକର ବିଭାଗ ତାଙ୍କ ନାଁରେ କାଟିଥିବା ୧.୫ କୋଟି ଟଙ୍କା ର ଫାଇନ ଉପରେ ରୋକ ଲଗାଇ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

୨୦୧୫-୧୬ ରେ ସାଉଥ ସୁପରଷ୍ଟାର ବିଜୟ ଆୟ କରିଥିବା ୧୫ କୋଟି ଟଙ୍କା ର ହିସାବ ଦେଇ ନଥିଲେ । ଏଥିପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କଟା ଯାଇଥିଲା । ଫାଇନ ଲାଗୁ କରିବା ପୂର୍ବରୁ ଆୟକର ବିଭାଗ ୨୦୧୫ ମସିହା ସେପ୍ଟେମ୍ବର ୩୦ ରେ ବିଜୟଙ୍କ ଏକାଧିକ ଠିକଣା ରେଡ୍‌ କରିଥିଲା ।

ତେବେ ଫାଇନ ବିରୋଧରେ ବିଜୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଅନୀତା ସୁମନ୍ତ ଆୟକର ବିଭାଗକୁ ଜବାବ ଦେବାକୁ ନୋଟିସ କରିଛନ୍ତି । ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ଆୟକର ବିଭାଗ ଜବାବ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆୟକର ବିଭାଗ କହିଛି ଯେ ସର୍ଚ୍ଚ ଅପରେସନ ବେଳେ ବିଜୟ ତାମିଲ ଫିଲ୍ମ ପୁଲି ପାଇଁ ଚେକ୍‌ରେ ୧୬ କୋଟି ଟଙ୍କା ନେଇଥିଲେ । ଏହା ତାଙ୍କର ପାରିଶ୍ରମିକ ଥିଲା । ହେଲେ ଏହି ଚେକ୍‌ ବ୍ୟତୀତ ସେ ନଗଦ ୫ କୋଟି ଟଙ୍କା ମଧ୍ୟ ନେଇଥିଲା । ସର୍ଚ୍ଚ ଅପରେସନ ବେଳେ ବିଜୟ ମଧ୍ୟ ଏ କଥାକୁ ସ୍ୱୀକାର କରିଥିଲେ । ଏହାବାଦ ୨୦୧୫-୨୬ ଆର୍ଥିକ ବର୍ଷରେ ସେ ପାଇଥିବା ଆଉ ୧୦ କୋଟି ଟଙ୍କା ର ହିସାବ ଆୟକର ଦାଖଲ ବେଳେ ଘୋଷଣା କରି ନଥିଲେ ।

ଏକଥା ଜଣାପଡ଼ିବା ପରେ ବିଜୟ ଘୋଷଣା ନ ହୋଇଥିବା ୧୫ କୋଟି ଟଙ୍କା ଉପରେ ନିୟମ ଅନୁସାରେ ଟିକସ ଦେବାକୁ ରାଜି ମଧ୍ୟ ହୋଇଥିଲେ । ଆୟକର ବିଭାଗ ୧୦% ଟିକସ ଆକାରରେ ୧୫ କୋଟି ଟଙ୍କା ପାଇଁ ତାଙ୍କ ନାଁରେ ୧.୫ କୋଟି ଟଙ୍କାର ଫାଇନ କାଟିଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ବିଜୟ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।