ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ହୋଷ୍ଟ କରିବ ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍‍-୨୦୨୨

0
196
ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ( ୨୨/୮) : କେନ୍ଦ୍ର ମାନବ ସମ୍ବଳ (ଶିକ୍ଷା) ବିଭାଗ ପକ୍ଷରୁ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍‍-୨୦୨୨ ଆୟୋଜନ ନିମନ୍ତେ ୭୫ ଟି ବିଭିନ୍ନ ଅନୁଷ୍ଠାନ କୁ ନୋଡାଲ ସେଣ୍ଟର ଭାବେ ଗ୍ରହଣ କରିଥିବାବେଳେ ଓଡ଼ିଶା ର ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ଏଥି ମଧ୍ୟରୁ ଅନ୍ୟତମ ।

ଆସନ୍ତା ୨୫ ଓ ୨୬ ତାରିଖ ଦିନ ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲୁରହିଛି । ପୂର୍ବ ଭାରତରେ ବୈଷୟିକ ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର କୁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଜାତୀୟ କାର୍ଯ୍ୟକ୍ରମ ନିମନ୍ତେ ଚୟନ ହୋଇଛି ।

ଏହି ଅନୁଷ୍ଠାନ ଉଚ୍ଚକୋଟିର ଭିତ୍ତିଭୂମି, ଶିକ୍ଷା, ପରିବେଶ, ଶୃଙ୍ଖଳା, ଗମନାଗମନର ସୁବିଧା ଦୃଷ୍ଟିକୁ ବିଚାରକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଏହି ଅନୁଷ୍ଠାନ ଆୟୋଜନ କରାଯାଉଛି । ଏହାକୁ ଜିଆଇଇଟି ସୁଚାରୁରୂପେ ପାଳନ କରି ରାଜ୍ୟରେ ଏକ ଉଦାହରଣ ପାଲଟିଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ସଭାପତି ଡଃ ସତ୍ୟପ୍ରକାଶ ପଣ୍ଡା, ଉପସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦ୍ଦେଶକ ଡଃ ଜଗଦିଶ ପଣ୍ଡା, କୂଳପତି ଡଃ ଗୌତମ ଘୋଷ, ରେଜିଷ୍ଟାର ଡଃ ଏନଭି ଜଗନ୍ନାଥ ରାଓ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟଅତିଥି ଭାବେ ରାୟଗଡା ପୁଲିସ ଆରକ୍ଷୀ ଅଧିକ୍ଷକ ବିବେକ ଶର୍ମା, ସମ୍ମାନୀତ ଅତିଥି ଭାବେ ନୂଆ ଦିଲ୍ଲୀସ୍ଥିତ ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଚିନ୍ତନ ବୈଷ୍ଣବ, ଭାରତ ସରକାରଙ୍କ ଦ୍ୱାରା ନିୟୋଜିକ ନୋଡାଲ ମୁଖ୍ୟ ଦେବାଙ୍ଗ ଦେବେ ଓ ନୋଡାଲ ଇନଚାର୍ଜ ଡଃ ଶୁଭ୍ରଜିତ ପ୍ରଧାନ ପ୍ରମୁଖ ଜିଆଇଇଟି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସ୍ମାର୍ଟଇଣ୍ଡିଆ ହ୍ୟାକଥାନ୍‍ ୨୦୧୭ ରୁ ଆରମ୍ଭ ହୋଇଆସୁଛି । ଯାହା ଫଳରେ ସଫ୍ଟୱେର ଏବଂ ହାର୍ଡୱେର ବିଭାଗର ବରିଷ୍ଠ ବିଦ୍ୟର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ, ପ୍ରଦର୍ଶିନୀ କରିବାର ସୁଯୋଗ, ଦକ୍ଷତା ବୃଦ୍ଧି ସହ ନିଜେ ଜଣେ ସ୍ୱାବଲମ୍ବନ ହେବାର ସୁଯୋଗ ସୃଷ୍ଟି ହୋଇପାରୁଛି । ଚଳିତ ବର୍ଷ ଠାରୁ କନିଷ୍ଠ ବର୍ଗ ର ବିଦ୍ୟାର୍ଥୀମାନଙ୍କୁ ନିଜର ସଂସ୍କୃତି ର ଅଭିନବକରଣ, ସମସ୍ୟା ର ସମାଧାନ ଦିଗରେ ଉତ୍ସାହିତ କରିବାକୁ ନିମନ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ଜଣାପଡିଛି ।

ଗୁଣପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦେଶ ର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୨୧୩ ରୁ ଉର୍ଦ୍ଧ ପ୍ରତିଯୋଗୀକୁ ନେଇ ୩୩ ଟିମ, ୬ ଟି ମନ୍ତ୍ରାଳୟ ଏବଂ ଶିଳ୍ପ ଗୁଡିକର ସମସ୍ୟା ବିବୃତ୍ତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ । ୩୭ ଜଣ ତାଲିମଦାତା ଉପସ୍ଥିତ ରହିବେ । ଭାରତ ସରକାର ଦ୍ୱାରା ନିୟୋଜିତ ୨୪ ଜଣ ବିଚାରକମଣ୍ଡଳୀ ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବେ । ଏଥିରେ କୃତିତ୍ୱ ଲାଭ କରିଥିବା ପ୍ରଥମ ବିଜେତାକୁ ଏକଲକ୍ଷ, ଦ୍ୱିତୀୟ ୭୫ ହଜାର, ତୃତୀୟ ୫୦ ହଜାର ଟଙ୍କା ଦିଆଯିବ ।

ଦେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଗୁଡିକୁ ନୂଆ ଦିଲ୍ଲିସ୍ଥିତ ଏଆଇସିଟିଇ ନିୟନ୍ତ୍ରଣରେ ଅନୁଷ୍ଠିତ ହେବ । ଦେଶରେ ୭୫ ଅନୁଷ୍ଠାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ଡି ସହସ୍ର ବଧେ, ଉପାଧ୍ୟକ୍ଷ ଏମ.ପି. ପୁନିଆ, ଅଧ୍ୟକ୍ଷ ଡଃ ଆନନ୍ଦ ଦେଶପାଣ୍ଡେ, କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ର ସଚିବ ଉପସ୍ଥିତ ରହିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପରିଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ତାରିଖ ସନ୍ଧ୍ୟାରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।