ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ : ଫୋକସ୍‌ରେ ରହିବ ନିର୍ବାଚନ ରଣନୀତି

0
127
ଆଜିଠୁ ଦୁଇ ଦିନିଆ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୯) : କିଛି ଦିନ ପୂର୍ବେ ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱ ପାଇଥିବା ସୁନୀଲ ବଂଶଲ ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ । ଆଜି ଅପରାହ୍ନ ଗୋଟାଏରେ ଭୁବନେଶ୍ୱରରେ ପହଞ୍ଚିବେ ବଂଶଲ । ସୁନୀଲ ବଂଶଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ଜୋରଦାର ପ୍ରସ୍ତୁତି ଚାଲିଛି । ଭୁବନେଶ୍ୱର ଏୟାରପୋର୍ଟରେ ବିଜେପିର ଶତାଧିକ କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିବେ । ଏହାପରେ ଦଳ ର ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନୀଲ ବଂଶଲ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଦଳୀୟ ବିଧାୟକ, ସାଂସଦ ଓ ଦଳ ର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ସୁନୀଲ ବଂଶଲଙ୍କ ପୃଥକ ପୃଥକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ବିଜେପି ର ସଙ୍ଗଠନ ଓ ୨୦୨୪ ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ । ଓଡ଼ିଶା ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ ।

ଏ ନେଇ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସୁନୀଲ ବଂଶଲ ଆଜି ଓଡ଼ିଶାରେ ପହଞ୍ଚିବା ପରେ ଜିଲ୍ଲା ର ସଭାପତି ଓ ପ୍ରଭାରୀଙ୍କ ସହ ଆଲୋଚନା କରିବେ । ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ସାଙ୍ଗଠାନିକ ସ୍ତରୀୟ ଆଲୋଚନା କରିବେ । ମୁଖ୍ୟତଃ ଆଗାମୀ ନିର୍ବାଚନ ଫୋକସରେ ରହିବ । ଆଗାମୀ ନିର୍ବାଚନ ନିମନ୍ତେ ପାର୍ଟିକୁ ଫୁଲ୍‌ ଦମରେ ପ୍ରସ୍ତୁତ କରିବାକୁ ଯୋଜନା ଓ ରଣନୀତି ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସୁନୀଲ ବଂଶଲଙ୍କ ଗସ୍ତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ସୂଚନା ଥାଉକି, ସୁନୀଲ ବଂଶଲଙ୍କ ଗୁରୁତ୍ୱପୂର୍ଣ୍ଣ ରଣନୀତି ପାଇଁ ବିଜେପି ୨୦୧୪ ଉତ୍ତରପ୍ରଦେଶ ନିର୍ବାଚନକୁ ଜିତି ନେଇଥିଲା । ଯାହା ପରେ ସେ କେନ୍ଦ୍ର ବିଜେପି ରାଜନୀତିରେ ସକ୍ରିୟ ଭୂମିକା ନେଇଛନ୍ତି । ବିଜେପି ତାଙ୍କୁ ଗୁରୁପଦବୀ ସହ ଦାୟିତ୍ୱ ଦେଇଛି । ତାଙ୍କୁ ଦଳ ପକ୍ଷରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ଦେଇଛି । ଏହି ୩ ସ୍ଥାନରେ ବିଜେପି ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି । ତେଣୁ ବଂଶଲଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ଦୃଷ୍ଟି ଆବଦ୍ଧ ହୋଇଛି ।