ରାଜଧାନୀରେ ଅନଲାଇନ୍‌ ବାଣ ବିକ୍ରି ଉପରେ ଲାଗିଲା ରୋକ୍‌

0
127
ରାଜଧାନୀରେ ଅନଲାଇନ୍‌ ବାଣ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୦୯) : ରାଜଧାନୀରେ ଅନଲାଇନ୍‌ ବାଣ ବିକ୍ରି ଉପରେ ଲାଗିଲା ରୋକ । ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଅନଲାଇନ୍‌ ବାଣ ବିକ୍ରିକୁ ନିଷେଧ କରିଛନ୍ତି ଦିଲ୍ଲୀ ସରକାର

ରାଜଧାନୀରେ ଅନଲାଇନ୍‌ ବାଣ ବିକ୍ରି ଉପରେ ଲାଗିଲା ରୋକ୍‌ । ଏଥିସହିତ ସବୁ ପ୍ରକାର ବାଣ ଉତ୍ପାଦନ, ସଂରକ୍ଷଣ ଏବଂ ସେଲକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି ଯେ, ଖୁବ ଶୀଘ୍ର ଏକ ଆକ୍ସନ ପ୍ଲାନ ଆସିବ । ବାଣକୁ ସମ୍ପୂର୍ଣ୍ଣ ବାରଣ ପାଇଁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଦିଲ୍ଲୀ ର ପ୍ରଦୂଷଣ ମାତ୍ରା ଉତ୍କଟ ହେଉଥିବାରୁ ସରକାର ଏହାର ମୁକାବିଲା ପାଇଁ ତତ୍ପର ହୋଇଛନ୍ତି । ଦିଲ୍ଲୀ ଲୋକଙ୍କୁ ରକ୍ଷା ପାଇଁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି ।

ଗତ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ତିଆରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ଚଳିତ ବର୍ଷ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଏ ବର୍ଷ ଅନଲାଇନ୍‌ ବାଣ ବେପାରକୁ ବନ୍ଦ କରିଛନ୍ତି ସରକାର । ଏହି ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସ୍ତରରେ ଚେତବାନୀ ଦିଆଯାଇଛି ।

ବିଶେଷ କରି ଏହି ନିୟମକୁ କାର୍ଯ୍ୟକାରୀ କାରିବା ପାଇଁ ଦିଲ୍ଲୀ ପୁଲିସକୁ ଅଧିକ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ବାୟୁ ପ୍ରଦୂଷଣ ରୋକିବା ପାଇଁ ନାନା ଚେଷ୍ଟା ସତ୍ତ୍ୱେ କିଛି ଫଳ ହେଉ ନ ଥିବାରୁ ସୁପ୍ରିମ୍‌କୋର୍ଟ ଏହା ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଯେଉଁସବୁ ପଦକ୍ଷେପ ବାବଦରେ ଘୋଷଣା କରିଛନ୍ତି, ତାକୁ କଡ଼ାକଡ଼ି ପାଳନ କରିବାକୁ ଆଦେଶ ଦେଇଥିଲେ ।