ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

0
122
ନିଶା କାରବାରକୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୯) : ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ବିରୋଧ କରିବାକୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

ନିଶା ବେପାରୀମାନେ ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ସଂଘବଦ୍ଧ ଭାବେ ବାଡ଼େଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍-୮ ର ନାରାୟଣୀ ବସ୍ତି ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଲେ ୟୁନିଟ୍-୮ ତୁଳସୀ ବସ୍ତି ର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ।

ଗତ ରାତିରେ ୟୁନିଟ୍-୮ ର ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁଙ୍କୁ ନିଶା ବେପାରୀମାନେ ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ।

ଚନ୍ଦୁଙ୍କ ଭଉଣୀଙ୍କ ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା । ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ସମୟ କାଟି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ । ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଶେଷରେ ସେହିମାନେ ମୋ ଭାଇଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଚନ୍ଦୁଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ, ନିଶା କାରବାର ନେଇ ପୁଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ମୋ ଭାଇକୁ ହତ୍ୟା କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ଡିସିପ ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାତିରେ ବିଭିନ୍ନ ଛକରେ ପୁଲିସ ପଇଁତରା ମାରୁଛନ୍ତି । ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।