ପୋଲିଓ ଟିକାକରଣ ଗାଡ଼ି ଉପରକୁ ଆଖି ବୁଜା ଗୁଳି ମାଡ଼

0
149
ପୋଲିଓ ଟିକାକରଣ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଇସଲାମାବାଦ, (୧୦/୦୯) : ପୁଣି ଅଶାନ୍ତ ହେଲା ପାକିସ୍ତାନ । ଫୁଟିଲା ଗୁଳି । ଟଳିଲେ ୪ ସୁରକ୍ଷା କର୍ମୀ । ଏକ ପୋଲିଓ ଟିକାକରଣ ଗାଡ଼ି ଉପରେ ଅଜ୍ଞାତ ବନ୍ଧୁକଧାରୀ ଆଖି ବୁଜା ଗୁଳି ଚାଳନା କରିବାରୁ ଏପରି ଅଘଟଣ ଘଟିଛି ।

ଏପରି ଅଭାବନୀୟ ଘଟଣା ପାକିସ୍ତାନ ର ଟ୍ୟାଙ୍କ ଜିଲ୍ଲା ର ଗୁଲ ଇମାନ ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ଘରକୁ ଘର ବୁଲି ପିଲାଙ୍କୁ ପୋଲିଓ ଟିକା ଦେବା ନିମନ୍ତେ ସ୍ୱାସ୍ଥ୍ୟ କର୍ମୀଙ୍କର ଏକ ଟିମ୍‌ ପୋଲିଓ ଟିକାକରଣ ଗାଡ଼ି ଯୋଗେ ପାକିସ୍ତାନ ର ଗୁଲ ଇମାନ ଅଞ୍ଚଳରେ ଯାଉଥିଲା । ଏହି ଗାଡ଼ିକୁ ସୁରକ୍ଷା ଦେଇ ଏକ ପୁଲିସ୍‌ ଭ୍ୟାନ ବି ଯାଉଥିଲା । ହେଲେ ହଠାତ୍‌ କିଛି ଅଜ୍ଞାତ ବନ୍ଧୁକଧାରୀ ଗାଡ଼ିକୁ ଅଟକାଇ ଆଖି ବୁଜା ଗୁଳିଚାଳନା କରିଥିଲେ ।

ଏହି ସମୟରେ ସେମାନଙ୍କର ପୁଲିସ୍‌ କର୍ମୀଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁହାଁମୁହିଁ ହୋଇଥିଲା । ଯେଉଁଥିରେ ଦୁର୍ବୃତ୍ତଙ୍କ ଗୁଳିରେ ୪ ପୁଲିସ୍‌ କର୍ମୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହି ଘଟଣାରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଘଟଣା ନିମନ୍ତେ ନିଜକୁ ଦାୟୀ କରି ନାହାଁନ୍ତି । ତେବେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛି ।

ଗୋଟିଏ ପଟେ ମହଙ୍ଗା ମାଡ଼ ଯୋଗୁଁ ଦେଶ ର ଅର୍ଥନୀତି ଦୋହଲି ଯାଇଥିବା ବେଳେ ବନ୍ୟା ପରିସ୍ଥିତି ସମସ୍ୟାକୁ ଅଧିକ ଗମ୍ଭୀର କରିଛି । ଏପରି ସ୍ଥିତିରେ ଆତଙ୍କବାଦୀ ଘଟଣା ପ୍ରଶାସନ ପାଇଁ ଟେନସନ ର କାରଣ ସାଜିଛି । ଏପରିକି ବନ୍ୟାରେ ଦେଶ ର ଏକ ତୃତୀୟାଂଶ ଉବୁଟୁବ ହେଉଥିବା ବେଳେ ଆତଙ୍କବାଦୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଛି ।

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ଆଳରେ ଆତଙ୍କବାଦୀ ଖୁଲମଖୁଲା ଚାନ୍ଦା ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି । ଫଳରେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ସାଧାରଣ ଲୋକଙ୍କ ସମେତ ପୁଲିସ ଓ ଦେଶ ର ସେନା କର୍ମଚାରୀଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି ।