ସିମ୍‌ବକ୍ସ ରାକେଟ୍ ସକ୍ରିୟ : କେଓ୍ୱାଇସି ମାଗିବା ନାଁରେ ସାଇବର୍ ଠକେଇ କରି ୬ ଗିରଫ

0
110
ସିମ୍‌ବକ୍ସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୯) : ଓଡ଼ିଶାରେ ସକ୍ରିୟ ହୋଇଛି ସିମ୍‌ବକ୍ସ ରାକେଟ୍ । ସିମବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍‌ ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ

ଏହି ଘଟଣା ର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ରାକେଟ କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରିଆସୁଥିଲା । ଟେଲିକମ ବିଭାଗ ର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ନିମନ୍ତେ ଏକ ଟିମ୍ ଗଠନ କରିଥିଲା । ପ୍ରି- ଆକ୍ଟିଭେଟେଡ ସିମ୍‌କୁ ନେଇ ସିମ୍‌ବକ୍ସ ମେସିନରେ ପକାଇ ଏହି ଠକେଇ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଓଡ଼ିଶା ଓ ବିହାରରେ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଥିଲା ।

ଓଡ଼ିଶା ର ମୟୂରଭଞ୍ଜ ଖୁଣ୍ଟିରେ ଏହି ରାକେଟ ସକ୍ରିୟ ଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ଏହାପରେ ପୁଲିସ୍‌ ଖୁଣ୍ଟିରେ ଚଢ଼ାଉ କରି ସେଠାରୁ ବେତନଟୀ, ବାରିପଦା ଆଦି ଅଞ୍ଚଳରେ ଚଢଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରଥମେ କ୍ରାଇମବ୍ରାଞ୍ଚ ଟିମ୍‌ ରାକେଟ ର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲୱାଲଙ୍କୁ ଗିରଫ କରିଥିବା ବେଳେ ପରେ ତା’ର ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣ ର ସିମ୍ ଏବଂ ସିମବକ୍ସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।

ସିମ୍ ବକ୍ସ କ’ଣ ?simbox ସିମ୍‌ବକ୍ସ ରାକେଟ୍ ସକ୍ରିୟ : କେଓ୍ୱାଇସି ମାଗିବା ନାଁରେ ସାଇବର୍ ଠକେଇ କରି ୬ ଗିରଫ

ସିମ୍ ବକ୍ସ ଏକ ଡିଭାଇସ୍‌ ବା ଯନ୍ତ୍ର, ଯେଉଁଥିରେ ଶତାଧିକ ସିମ୍ ଆକ୍ଟିଭେଟ୍ କରିହୁଏ । ତାହା ପୁଣି ପ୍ରି- ଆକ୍ଟିଭେଟେଡ ସିମ୍ । ସିମ୍ କିଣିଲା ବେଳେ ଆଧାର କାର୍ଡ କିମ୍ବା ଅନ୍ୟାନ୍ୟ ପରିଚୟପତ୍ର ଦେଇ କିଣାଯାଇଥାଏ । ହେଲେ ଠକମାନେ ପ୍ରି- ଆକ୍ଟିଭେଟଡ ସିମ୍ ବ୍ୟବହାର କରି ସିମ୍ ବକ୍ସ ଅପରେଟ୍ କରିଥାନ୍ତି ।

ଇଣ୍ଟରନେଟ୍ ମାଧ୍ୟମରେ ଯେକୌଣସି ଇଣ୍ଟରନ୍ୟାଶନାଲ ଫୋନ୍ କଲ୍‌କୁ ଲୋକାଲ୍ କଲ୍‌ରେ ପରିଣତ କରାଯାଇ ସେଲ୍ୟୁଲାର ଡିଭାଇସ୍ ଅର୍ଥାତ ମୋବାଇଲକୁ ପଠାଯାଇ ପାରିବ । ଏମିତିକି ଅନ୍ୟ ଦେଶରୁ ଆସୁଥିବା ମୋବାଇଲ କଲ୍ କିମ୍ବା ମ୍ୟାସେଜକୁ ଲୋକାଲ କଲ୍‌ରେ ଏହି ସିମ୍‌ବକ୍ସ ମାଧ୍ୟମରେ ପରିଣତ କରିଦିଆଯାଏ । ଫଳରେ ପ୍ରକୃତ କଲ୍ କିମ୍ବା ମେସେଜ ଆସୁଥିବା ଦେଶ ବିଷୟରେ ଅବଗତ ହୋଇପାରନ୍ତିନି କଲ୍ ରିସିଭ କରୁଥିବା ବ୍ୟକ୍ତି ।

ଏମିତିକି ସେଲ୍ୟୁଲାର ଅପରେଟର ଏ ନେଇ ମଧ୍ୟ ଅବଗତ ହୋଇପାରନ୍ତି ନାହିଁ । ଯେହେତୁ ଏହା ଇଣ୍ଟରନେଟରେ ପରିଚାଳିତ ହୁଏ, ତେଣୁ ସେଲ୍ୟୁଲାର ଅପରେଟର ମଧ୍ୟ ଏ ନେଇ ଟେର୍ ପାଇନଥାନ୍ତି । ଏମିତିକି ସିମ୍ ବକ୍ସ ମାଧ୍ୟମରେ ଆସୁଥିବା ଇଣ୍ଟରନ୍ୟାଶନାଲ କଲ୍ ପାଇଁ ଅଲଗା ରେଟ୍ ନୁହେଁ ବରଂ ଲୋକାଲ କଲ୍ ରେଟ୍ ନେଇଥାନ୍ତି ଟେଲିକମ୍ ଅପରେଟର ।

ସିମ୍ ବକ୍ସ ସହାୟତାରେ ଠକେଇ ବର୍ତ୍ତମାନ ସମୟ ପାଇଁ ଟେଲିକମ୍ ଅପରେଟଙ୍କର ପାଇଁ ଚ୍ୟାଲେଞ୍ଜ ହୋଇଛି । ତା’ସହ ସିମ୍ ବକ୍ସରେ ହେଉଥିବା ଠକେଇ ପାଇଁ ଟେଲିକମ୍ ଅପରେଟର୍ ଆର୍ଥିକ କ୍ଷତି ସହନ୍ତି । ୨୦୨୧ ମସିହାରେ ଫ୍ରଡ୍ ଲସ୍ ସର୍ଭେ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ସିମ୍ ବକ୍ସ ଫ୍ରଡ ପାଇଁ ୩ ଶହ ୧୧ କୋଟି ଟଙ୍କା କ୍ଷତି ସହିଛନ୍ତି ବିଭିନ୍ନ ଦେଶ ର ଟେଲିକମ୍ ଅପରେଟର ।